କୁଆଁରିର ସ୍ୱପ୍ନ
କୁଆଁରିର ସ୍ୱପ୍ନ


ଆଜିବି ଜଳୁଛି ଭସ୍ମ ସ୍ତୂପ ପରେ
ନିରୀହ ପ୍ରାଣର ଅନ୍ତିମ ଜୁଇ,
ବିଶ୍ୱାସ ହଜିଛି ବିଶ୍ୱ ଦରବାରେ
ଦିଗହରା ଆଜି ସପନ ଭାଇ ||
ମର୍ମେ ମର୍ମେ ଆଜି ଧର୍ମ କାନ୍ଦୁଅଛି
ମାନବବାଦର କବର ଦେଇ
ନିରବ ସାଜିଛି ଆତ୍ମ ବିଶ୍ଳେଷଣ
ସମାଜୁ ସଂସ୍କାର ଦୂରେଇ ଦେଇ ||
ପଥପ୍ରାନ୍ତ ଆଜି ଅଶାନ୍ତ ଅଗମ୍ୟ
ହା- ହା- କାର ନର ପିଚାଶ ପାଇଁ,
କେବେ ବା ଫେରିବ ଗାନ୍ଧୀଙ୍କ ସପନ
ଅହିଂସା ସତ୍ୟର ବାରତା ନେଇ ||
ଜୀବନ ଜୁଇରେ ଜଳୁଛି ଯୌବନ
ଆଜିର ସପନ କାଲିକି ନାହିଁ
ସଭ୍ୟ ସମାଜର ଅସଭ୍ୟ ଚଳଣି
ସରଳେ ବଞ୍ଚିବା ଜଟିଳ ଭାଇ ||
ମନଶ୍ରାଦ
୍ଧ ମେଣ୍ଟେ କ୍ରୂର ବ୍ୟଭିଚାରେ
ଧରା ପାଲଟୁଛି ନରକ ପେଣ୍ଠ
ନରାଧମେ ଏଠି ରାଜୁତି କରନ୍ତି
ନରର ଶୋଣିତେ ରଞ୍ଜିତ ବାଟ ||
କୋଉଁଠି ହଜୁଛି କୁଆଁରୀର ସ୍ୱପ୍ନ
ଭ୍ରୂଣ ଶୋଇଯାଏ ଅଚିନ୍ତା ନିଦ୍ରେ
ପରିଚୟ ଖୋଜେ କଅଁଳ ଶୈଶବ
ଗୁମୁରି କିଶୋରି ପରାଣ କାନ୍ଦେ ||
ଶିଷ୍ଟତା ବଞ୍ଚିଛି ଷଠ ପରିଚୟେ
ସାଧୁତା କୁମ୍ଭୀର କାନ୍ଦଣା ଯେତେ
ନ୍ୟାୟ ଖୋଜିଖୋଜି ନିରିହ ବିଚରା
ଦିଗହରା ହୋଇ ମୁଣ୍ଡଟା ପିଟେ ||
ଉଠରେ ଉଠୁ ତୁ ଅମୃତ ସନ୍ତାନ
ଜାଗିଉଠ ଆରେ ଆସିଛି ବେଳ
ମାତା ହସ୍ତୁ ନେଇ ତୀକ୍ଷ୍ଣ କରବାଳ
ସିଂହ ଠାଣି ନେଇ ମହିଷା ଦଳ ||