କଠୋର ସତ୍ୟ
କଠୋର ସତ୍ୟ
ଯୁବା ବୟସରେ ଅୟସ ପାଇଁ ମୋ ପାଖରେ ନଥିଲା ଧନ,
ପର ଦରବକୁ ଦେଖି କିଣିବାକୁ ଛଟପଟ ହୁଏ ମନ |
ମାଛ ମାଂସ ମିଠା ଆଉ କେତେ ଚିଜ ଖାଇବାକୁ ମନ କହେ,
ଭଲ ଜାମାପଟା ଦାମୀ ଯୋତା ପାଇଁ ମୋ ମନ ବିକଳ ହୁଏ |
ନୂଆ ସାଇକେଲ ଖଣ୍ଡେ ମିଳିଲାନି ଭଙ୍ଗାକୁ ସଜାଡ଼ି ରଖେ,
ଭଙ୍ଗାଘରଟିକୁ ମରାମତି ପାଇଁ ବୋଉ ମୋତେ ଚିଠି ଲେଖେ |
ବାହାଘର ପରେ ଘରଣୀ ମାଗିଲା ନାକ ଫୁଟୁକି ତା' ପାଇଁ,
ନିଅଣ୍ଟ ବଜେଟ ଅଳପ ଦରମା ମୁଁ କିଣି ପାରିଲି ନାହିଁ |
ବୟସ ବଢ଼ିଲା ଦରମା ବଢ଼ିଲା ଖରଚ ବି ବଢ଼ି ଚାଲେ,
ଚାହୁଁ ଚାହୁଁ ମୋର ଚାକିରୀ ସରିଲା ବଡ଼ ହେଇଗଲେ ପିଲେ |
ଅବସର ପରେ ପେନସନ ମିଳେ ପିଲାଏ ଆଣିଲେ ଧନ,
ଖାଇବା ପିନ୍ଧିବା ଗାଡ଼ିରେ ଚଢ଼ିବା ସଉକରେ ନାହିଁ ମନ |
ମାଂସ ମିଠା ତେଲ ପିଠା ଖାଇବାକୁ ଡାକ୍ତର କରିଲେ ମନା,
ଗାଡି ଚଲେଇବା ସାହସ ତ ନାହିଁ କି ହେବ ଦାମିକା କନା ?
ରହିବାକୁ ଲୋକ ନାହାନ୍ତି ପାଖରେ ତୋଳିଛି ମୁଁ ବଡ଼ ଘର,
ଗହଣା ଦେଇଛି ଘରଣୀ ପିନ୍ଧୁନି ମାତିଛନ୍ତି ସୁନାଚର |
ପୁଅ ଯାଚି ଦେଲା ଦାମୀ ମୋବାଇଲି ଚଳେଇ ଆସୁନି ମୋତେ,
ଲାଜ ମାଡ଼େ ଏବେ କୋଟ ବୁଟ ପିନ୍ଧିବାକୁ ଅଛି ଯେତେ |
