କଳାକାର ସ୍ମରଣେ
କଳାକାର ସ୍ମରଣେ
ରଙ୍ଗଛଡା ଏକ ଇନ୍ଦ୍ରଧନୁଷରୁ
ଅବଶିଷ୍ଟ ରଙ୍ଗ ଧୋଇ
କିଏ କଳାକାର ଆଙ୍କିଛି ଏ କୃତି
ନିଜେ ପାଉଁଶିଆ ହୋଇ ?
ଇତିହାସ ସିନା କଡ଼ ଲେଉଟାଇ
ଢାଙ୍କିଦେଲା ଅନ୍ଧକାର
ପିଠିକରି ସେହି ଅନ୍ଧାରକୁ ଦିନେ
ଥିଲା ସିଏ ନିର୍ବିକାର ।
କ୍ଳାନ୍ତ ଜୀବନର ଅପରାହ୍ନେ ନିଜ
ଭାବନା ସାଗରେ ଦ୍ରବି
ବାର୍ଦ୍ଧକ୍ୟ ବେଳାରେ ଭରିଛି ନିଖୁଣ
ଯୌବନର ପ୍ରତିଛବି ।
ନିଜକୁ ସମ୍ଭାଳି ନେବା ମନୋବଳ
ସାଧନାରେ ରଖି ଲୟ
ଛାତି ଚିରୁଥିବା କାଠହଣାକୁ ସେ
ମାଗିନାହିଁ ପରିଚୟ ।
ତା' ମନ ଓହଳେ ବସା ବାନ୍ଧିଥିଲା
ହଳଦୀବସନ୍ତ ସିନା
ଘରଚଟିଆର ଆଶ୍ବାସନା ନେଇ
ସର୍ଜିଛି ବିରାମ ବିନା ।
ବୁକୁରୁ ତାହାର ଖସି ଯାଇଥିବ
ତୁହା ତୁହା ଦୀର୍ଘଶ୍ବାସ
ପରାହତ ହୋଇ ତଥାପି ନିଜକୁ
କରିନାହିଁ ଅବିଶ୍ୱାସ ।
ପରଳ ତଳର ଧର୍ମପଦ ଆଖି
ରଖି ଆତ୍ମନିୟନ୍ତ୍ରଣ
ଦସ୍ତଖତ ପାଇଁ ସାଗରକୁ କାହିଁ
ଦେଇନି ତ ନିମନ୍ତ୍ରଣ !!
ପ୍ରସନ୍ନ କୁମାର ମାଦଳା
