କିଏ ସଜାଡିବ ଫୁଲର ଦୋଳି
କିଏ ସଜାଡିବ ଫୁଲର ଦୋଳି
କଅଁଳ କଳି ସେ କଅଁଳ କଳି
କରୋନା ଦେଇଛି ସପନ ଦଳି
ସ୍ନେହ ମମତାକୁ ପକାଇ ବଳି
ମହାମାରୀ ଦେଲା ଜୀବନ ଜାଳି
କୁନି ଭାଇକୁ ତା କୋଳରେ କାଖେଇ
ସାହା ହେବାପାଇଁ କରୁଛି ଅଳି
କଅଁଳ କଳି ସେ କଅଁଳ କଳି ।
ଆଗକୁ ଚାହିଁଲେ ପାଉନି ଆଖି
ଲୁହ ସବୁ ତାର ଯାଇଛି ଶୁଖି
ଚାଲିବା ଆଗରୁ ପଡିଛି ଥକ୍କି
କଳାମେଘ ଦେଲା କପାଳ ଢାଙ୍କି
ଉଡିବା ଆଗରୁ ଡେଣା ଝଡିଗଲା
ଛଡେଇ ହାତରୁ ଖାଇବା ଥାଳି
କଅଁଳ କଳି ସେ କଅଁଳ କଳି ।
ବାପା ମାଆଙ୍କର ଭାରି ସେ ଗେହ୍ଲା
ସୁଖଦିନ ତାର ଉଭେଇ ଗଲା
କରୋନା କୋପରେ ଅନାଥ ହେଲା
ସୁଖଶାନ୍ତି ସବୁ ଛଡାଇ ନେଲା
ଡକାଡକି ହୋଇ ବାପା ମାଆ ଗଲେ
ଆଲୁଅ ଲିଭିଲା ଅନ୍ଧାର ଗଳି
କଅଁଳ କଳି ସେ କଅଁଳ କଳି ।
ଭଲା ବିହି ହେଲା ତାପାଇଁ କାଳ
ଥଳ ପାଉନାହିଁ ଖୋଜୁଛି କୂଳ
କିଏଦେବ ଆଉ ସାହସ ବଳ
ଚଉଦିଗେ ତାର ଅଥଳ ଜଳ
ମନ ଉଣା କଲେ କିଏ ବୁଝାଇବ
ତା ପାଇଁ ସଜାଡି ଫୁଲର ଦୋଳି
କଅଁଳ କଳି ସେ କଅଁଳ କଳି ।
