କେମିତି ତୁମକୁ ପାଇଥାନ୍ତି ଭଲ
କେମିତି ତୁମକୁ ପାଇଥାନ୍ତି ଭଲ
ତୁମେ ତ ଛଦ୍ମମୁଖା ତଳେ ରହି ଥାଅ
ମାନ ସରବରର ସାତ ତାଳ ପାଣି ଭିତରେ
ଆତ୍ମଗୋପନ କଲା ଭଳି ଗର୍ବୀ ଦୁର୍ଯ୍ୟୋଧନ
ନାହିଁ ତୁମର ସତ୍ ସାହାସ କି ସ୍ଵାଭିମାନ
କପଟତାର ଆଶ୍ରୟରେ ଖେଳ ଝିମିଟି ଖେଳ
ନାହିଁ ତ୍ୟାଗ ସମର୍ପଣର ବିନ୍ଦୁଏ ଦୃଷ୍ଟାନ୍ତ
ସମଗ୍ର ବସୁଧା ଗିଳିବାକୁ କର ଉଗ୍ର ଅଭିପ୍ରାୟ
ବିଛାଇ ଦିଅ ପ୍ରବଞ୍ଚନାର ବୁଢ଼ିଆଣୀ ଜାଲ
କେମିତି ତୁମକୁ ପାଇଥାନ୍ତି ଭଲ?
ତୁମ ପାଇଁ ଜୀବନ ପଥେ ମାଡ଼ି ଆସେ ଅନ୍ଧାର
ନିଶାଚରମାନେ ସ୍ଵାର୍ଥର ପ୍ରବଳ ନିଶାରେ
ଘଟାନ୍ତି ଯେତେ ଅବାଞ୍ଛିତ ଘୃଣ୍ୟ ଜଘନ୍ୟ କାଣ୍ଡ
ଦେଖନ୍ତି ନାହିଁ କାହାରି ଅସହାୟତା ଲୁହ
ଦେଇ ଚାଲନ୍ତି ଆଖିରେ ଲୁହ ଛାତିରେ କୋହ
ହିଂସା ଦ୍ୱେଷ ଅହଂକାରର ତୁମେ ହୁଅ ସୂତ୍ରଧର
ଶୃଗାଳ ହୋଇ ପିନ୍ଧିଥାଅ ବାଘର ଛାଲ
କେମିତି ତୁମକୁ ପାଇଥାନ୍ତି ଭଲ?
ତୁମେ ଛଡ଼ାଇ ନିଅ ସରସ ଓଠରୁ ମିଠା ହସ
ବିଶ୍ଵାସରେ ଭରି ଦିଅ ହଳାହଳ ବିଷ
ହୃଦୟରେ ତୁମର ନାହିଁ ଦରଦ କର ବିବାଦ
ମାୟାକୁ ଛାୟା କରି ଗଢ଼ କୁହୁଡ଼ିରେ ଘର
ମରୁରେ ମରୀଚିକା ଦେଖାଇ କରାଅ ବିଭ୍ରମ
ସବୁ ନ୍ୟାୟ ନୀତି ଆଦର୍ଶର ତୁମେ ବ୍ୟତିକ୍ରମ
ଭୁଲିଯାଇ ଅସଲ ତୁଚ୍ଛ ମିଛକୁ କର ନକଲ
କେମିତି ତୁମକୁ ପାଇଥାନ୍ତି ଭଲ?
ତୁମେ ବାରମ୍ଵାର ହାରି ପାଇଲେ ବି ଆଘାତ
ତୁମର କ୍ରୁର ସ୍ଵଭାବ ହିଂସ୍ର ମନୋବୃତ୍ତି
ବଦଳେ ନାହିଁ କି ହୁଅ ନାହିଁ ଶାନ୍ତ ସୁଧାର
ତୁମ ବ୍ୟକ୍ତିତ୍ଵ ଚରିତ୍ର ସର୍ବଦା ଅପବିତ୍ର
ସୁଖକୁ ପାଲଟାଇ ଦିଅ ହୃଦୟ ବିଦାରକ ଦୁଃଖ
ନର୍କରେ ରହି ଖୋଜ ସ୍ଵର୍ଗର ନିର୍ମାଲ୍ୟ
ଆଢୁଆଡ଼େ ରହି ତୁମେ ଖୋଳୁଥାଏ ଖାଲ
କେମିତି ତୁମକୁ ପାଇଥାନ୍ତି ଭଲ?
