କେମିତି ପଢିବ ଗରିବ ପିଲା ?
କେମିତି ପଢିବ ଗରିବ ପିଲା ?
ଅନ୍ ଲାଇନିରେ ଶିକ୍ଷାଦାନ ନିଶ୍ଚେ,
ପାଠପଢ଼ା ପାଇଁ ବହୁତ ଭଲ ।
ଧନୀ ପିଲା ପଢେ ଖୁସିରେ ଖୁସିରେ,
ଗରିବ ପାଇଁ ଏ ନିହାତି ଭେଲ ।।
ଧନୀ ପିଲାଟିର ଦାମି ମୋବାଇଲ୍,
ଲାପ୍ ଟପ୍ ପୁଣି ଥାଏ ଯେ ଘରେ ।
ଗରିବ ପିଲାର ନଥାଏ ଏ ସବୁ,
ରହିଥାଏ ସିଏ ଭୋକ ଶୋଷରେ ।।
ଭୋକ ମାରିବାକୁ ଯା' ପାଶେ ନଥାଏ,
ଦୁଇ ଓଳା ପାଇଁ ହାଣ୍ଡିରେ ଦାନା ।
ଅନ୍ ଲାଇନିରେ ପାଠପଢ଼ା ଏଠି,
ତା' ପାଇଁ ସାତ ସପନ ସିନା ।।
ତେଲିଆ ମୁଣ୍ଡରେ ତେଲ ପ୍ରବାଦଟା,
ଆଜି ଏ କଥାରୁ ପ୍ରମାଣ ହୁଏ ।
ଅନ୍ ଲାଇନିରେ ପାଠପଢ଼ା ହେଲେ,
ଗରିବ ପିଲାର କି ଅବା ଯାଏ ?
ଶିକ୍ଷା ପରା ଅଟେ ସମସ୍ତଙ୍କ ପାଇଁ,
ସରକାର ଏଠି କୁହନ୍ତି ଯାହା ।
ଯେଉଁ ପିଲା ପାଶେ ନାହିଁ ମୋବାଇଲ୍,
କିପରି ପଢିବ ବୁଝାଅ ଏହା ?
ଏମିତି ଶିକ୍ଷାର ହେଉ ପ୍ରସାରଣ,
ସବୁ ବର୍ଗ ପିଲା ପାଇବେ ଲାଭ ।
ତେଲିଆ ମୁଣ୍ଡରେ ତେଲ ମାରିଲେ କି,
ଏଇ ସମାଜଟା ସୁଧୁରିଯିବ ?
ଶିକ୍ଷାଦାନେ ବାଧା ନ ଉପୁଜିବାକୁ,
ଅନ୍ ଲାଇନି ପଢା ଆରମ୍ଭ ହେଲା ।
ଏ ଦୁନିଆ ଆଜି ପାରୁନାହିଁ ବୁଝି,
କେମିତି ପଢିବ ଗରିବ ପିଲା ?