STORYMIRROR

Bidyadhar Mantry

Abstract Classics Inspirational

4  

Bidyadhar Mantry

Abstract Classics Inspirational

କବି ଓ କବିତା

କବି ଓ କବିତା

1 min
2


କବି ସମ୍ମିଳନୀ ଧାରେ କବିତା ପଠନ

ହୃଦୟରେ ପରିପୂର୍ଣ୍ଣ ଏକ ଆଲୋଡନ

ଭାବ ଓ ଆବେଗ ଭରା କବିର କବିତା

କଲମ ମୁନରେ ସୃଷ୍ଟି କବି ମନ କଥା

ଭାବନା-ନଦୀରୁ ଶବ୍ଦ ପ୍ରବାହିତ ଧାରେ

କୁଳୁକୁଳୁ ନାଦରେ ମୂର୍ଚ୍ଛନା ଗତି କରେ


କବିତା କହୁଛି କବି ହୃଦୟର କଥା

କବିତାରେ ଶବ୍ଦ ଭଣ୍ଡାରର ବାସ୍ତବତା

କବିତାରେ ସାତ ସୁର ସଙ୍ଗୀତ ନିହିତ

କବିତାରେ ପ୍ରକୃତିର ଶୋଭା ବି ବର୍ଣ୍ଣିତ

ପକ୍ଷୀର କିଚିରି ମିଚିରି ମଧ୍ୟେ କବିତା

ମାଆ ଓ ଶିଶୁ ହସରେ ପ୍ରକୃତ କବିତା


ସ୍ବାଧିନତାର ସଙ୍ଗୀତ ଭିତରେ କବିତା

କବିତା ପ୍ରେମ ରୁ ଜାତ,ପ୍ରେମ ହିଁ କବିତା

ସୂର୍ଯ୍ୟର ଆଲୋକ ପରି କବିତା ଉଜ୍ଜ୍ବଳ

ଚନ୍ଦ୍ରର ଆଲୋକ ସମ କବିତା ଶୀତଳ

କୋଇଲି କଣ୍ଠରେ ମିଠା କବିତାର ସ୍ୱର 

ହିମାଳୟ ଛୁଇଁ ଯାଏ ସ୍ୱର କବିତାର


ହୃଦ ସ୍ପନ୍ଦନ ର ମାପକ ଯନ୍ତ୍ର କବିତା 

ଝରଣା ଢେ଼ଉ ରେ ଅଛି କବିତାର କଥା

କବିର କଳ୍ପନା କବିତାର ଉପାଦାନ

ଶବ୍ଦ ଗୁଚ୍ଛ ଭିତରେ ହିଁ କବିତାର ପ୍ରାଣ

ହୃଦୟ ଢେ଼ଉ ରେ ଭାସି ଆସି ସେ'କବିତା

କଲମ ଆହୁଲା ଭାବେ ମାତ୍ର ସହାୟତା


କବି କଲମର ମହତ୍ତ୍ଵ ତଥା ଗୁରୁତ୍ଵ

କବିତା ରୂପରେ ସହଜେ ପ୍ରତିପାଦିତ 

ଅବ୍ୟକ୍ତ ବେଦନା ପୁଣି ହୃଦୟର ବ୍ୟଥା 

କବିତା ମାଧ୍ୟମେ କବି ଲେଖେ ସେହି କଥା

କବି ଧମନୀ ରେ କାବ୍ୟ କବିତାର ରକ୍ତ

ଅବାରିତ ଭାବେ ପ୍ରାୟ ହୁଏ ପ୍ରବାହିତ


କବିତା କବି ପ୍ରାଣରେ ହସର ସୁରାକ

କବିତାରେ ସ୍ପଷ୍ଟ କବି ହୃଦୟର ଦୁଃଖ

ସକାଳର ପ୍ରଥମ କିରଣ ସେ' କବିତା

ସୂର୍ଯ୍ୟାସ୍ତ ର ରଶ୍ମି ଧାରେ କବିର କବିତା

କବିତାରେ କେବଳ ନୀରବତାର ଭାଷା

ହୃଦୟର ଅଭିଳାଷା ସହ ପରିଭାଷା


ଜୀବନ-ଉଡ଼ାଣ କବିତା ପକ୍ଷ ବଳରେ

ସ୍ନେହ,ପ୍ରେମ,ପ୍ରୀତି ସମ୍ପର୍କର ଆଧାରରେ

ସାହିତ୍ୟର ଆତ୍ମା ପ୍ରାୟ କବିର କବିତା

ମନ ଓ ପ୍ରାଣର ସଂଯୋଗ ବଳେ କବିତା

ମୌସୁମୀ ବର୍ଷା ବୁନ୍ଦାରେ କବିତା ନିହିତ

ଇନ୍ଦ୍ରଧନୁ ସମ କବିତାରେ ରଙ୍ଗ ସାତ 


କବି ଖୋଲେ ଅବିଭକ୍ତ ଶବ୍ଦର ଭଣ୍ଡାର

ନୂତନ କୃତି ଆକାରେ କବିତାର ଧାର

ଜୀବନର ଦୁଃଖ ଭୁଲି କବି ଲେଖା ଧାରେ

ଖୁସି ଅତିଶୟ ନିଜ ଲେଖା ମାଧ୍ୟମରେ

କବି ହୃଦ ମୃତ୍ତିକା ରୁ ଭାବ ଅଙ୍କୁରିତ

କଲମ ହିଁ ଅସ୍ତ୍ର ବିଭିନ୍ନ ଶବ୍ଦ ସହିତ


ହେ ସାହିତ୍ୟିକ ଭାବୁକ କବି ଓ ଲେଖକ 

ସର୍ଜନା ରେ ମାନବିକତା ହେଉ ଉଦ୍ରେକ

ହେଉ କଲମ ମୁନରେ ଅନ୍ୟାୟ ବିରୋଧ

ମାତୃଭୂମି ମାତୃଭାଷା ହେଉ ହୃଦବୋଧ

ମାନପତ୍ର ପୁରସ୍କାର ନୁହେଁ ହାତ ପାତି

ସାହିତ୍ୟ ଚାଷରେ ବନ୍ଦ ହେଉ ରାଜନୀତି


       


Rate this content
Log in

Similar oriya poem from Abstract