କଅଣ ମାନପତ୍ର ଖାଲି ସାଉଁଟିବା?
କଅଣ ମାନପତ୍ର ଖାଲି ସାଉଁଟିବା?
ସକାଳର ପ୍ରଥମ ସୁନେଲି କିରଣ ସଦୃଶ
ଆରମ୍ଭ ହୁଏ ଜୀବନ ମଣିଷର,
ମୋତି ପରି ଚିକ୍ ମିକ୍ କରୁ ଥାଏ, ରଖି
ଥାଏ ଆଶା ଆଉ ନୂଆ ସପନର ।
ସମୟର ଗତି ସହିତ ପାଦ ମିଶାଇ ବାଟ
ଚଲାଏ, ପଥ ଅଟଇ ସଂଘର୍ଷର,
ଭୟ କେବେ ନଥାଏ କେତେବେଳେ ଝୁଣ୍ଟି
ପଡ଼ିବା ବା ବାଟବଣା ହେବାର ।
ବାଧାବିଘ୍ନ ପାହାଡକୁ ପାରି କରି ସମୟ ସହ
ଚାଲିବା, ମଣିଷର ଜୀବନ,
ଜୀବନ ଠାରୁ ଅଧିକ ମୂଲ୍ୟବାନ, ପ୍ରତ୍ୟେକ
ମଣିଷର ନିଜସ୍ୱ ସ୍ବାଭିମାନ ।
ରହୁଥିବା ସବୁ ମଣିଷ ଓ ବଡ କ୍ଷୁଦ୍ର ଜୀବ
ମାନଙ୍କୁ ଆମର ପରିପାର୍ଶ୍ୱରେ,
ଦେଖୁଅଛେ ଆମେ ସେମାନଙ୍କୁ ହେଉ ପ୍ରତ୍ୟକ୍ଷ
ରେ ଅବା ପରୋକ୍ଷରେ ।
କିଛି ନା କିଛି ଉପକାର କରିଥାଆନ୍ତି ତ
ସରବେ ଏଇ ଆମ ସମାଜର,
ଯିଏ ଯାହା ସ୍ଥାନରେ ରହି, ନିଜ ଶକ୍ତିମତେ
ସଦାବେଳେ କରନ୍ତି ଉପକାର ।
ସମୟ ବଦଳେ, ଆଉ ତା ସହିତ ବଦଳି ତ
ଥାଏ ଜୀବନର ଗତିପଥ,
ପରମ୍ପରା ବିରୋଧରେ ସଜାଇ ଠିଆ କରିବା
କୁ ପଡ଼େ ହେଉ ପଥ କଣ୍ଟକିତ ।
ଭୁଲିବାନି କେବେ କଥାକୁ, ତଳ ବରଡ଼ା ଖସୁଛି,
ଉପର ବରଡ଼ା ହସୁଛି,
ସେତେବେଳେ ମଝି ବରଡ଼ା ଚାହିଁ କହୁଛି, ମୋ
ଦିନ କାଳ ପରା ଆସୁଛି ।
ଶୁଣି ଆସି ଅଛି ପିଲାଟି ଦିନରୁ ଯେ, ଏଇ
ପଂକ୍ତିକୁ ଏ ସମାଜ ଭିତର,
ମୁଁ ସର୍ବଦା ଭାବିଥାଏ ଏହା ହିଁ ପ୍ରକୃତ କର୍ମ,
କର୍ତ୍ତବ୍ୟ ଓ ଧର୍ମ ମୋର ନିଜର ।
ଭୁଲି ଯାଇଅଛେ ସେଦିନର କଥା, ରହିଅଛେ
ଆମେ ଅନ୍ଧାର ଭିତରେ,
ସବୁ ଉଜ୍ଜ୍ୱଳତାକୁ ଲିଭେଇ ଦେଇଅଛେ ଆଜି
ଭୋଟରଙ୍କୁ ପ୍ରଲୁବ୍ଧ କରିବାରେ ।
ଶାସନ କରନ୍ତି ମାନବ, ମଣିଷଖିଆ ବାଘର
ପ୍ରକୃତି ଅଟଇ ତାଙ୍କର,
ପେଟ ଭରି ଥିଲେ ବି, ମୁଖର ସ୍ୱାଦ ପାଇଁ
ତାଙ୍କର ମଣିଷ ରକ୍ତ ଦରକାର ।
ପାନରେ ଥାଏ ମସଲା, ପକାଉ ଥାଏ ପାଟି
ରେ ଚୋବାଇବା ପରେ,
ଆମକୁ ଫୋପାଡୁଛନ୍ତି ପାନ ମସଲା ପରି,
ଭୋଟ ସରିଗଲା ପରେ ।
ତୁଛ ହୀନ ପୁରୁଷାର୍ଥର ସୀମା ଦିନକୁ ଦିନ
ବିଶ୍ୱରେ ବୃଦ୍ଧି ହୋଇ ଚାଲିଛି,
ସ୍ୱାର୍ଥ, ଅହଂରେ ପୃଥିବୀକୁ ଭାଗବଣ୍ଟା କରି
ଭୋଗିବା ଘୃଣ୍ୟ ମସୁଧା ହୋଇଛି ।
ଆମେ ଗରିବ ବାପୁଡା ରହୁ ଥିବା ଯାଗାର
ନାହିଁ ସଠିକ ନଥି ପତର
ଦେଶର ଅନେଶତ ଭାଗ ଅଟ୍ଟାଳିକାମାନ
ତିଆରି ହୋଇଛି, ପୁଂଜିପତିଙ୍କର ।
ଲଗାତାର ବର୍ଷା ପରେ ପାଲଟି ଯାଉଛି
କେନାଲ ସହରର ରାସ୍ତା,
ଆମ ଚାଳି କଣା ଘର ସାମନାରେ ଠିଆ
ବୁଲଡୋଜ଼ର, କରିଦେବ ପଦା ।
'ଉଠ କଙ୍କାଳ' କବିଙ୍କର ଦେଶାତ୍ମବୋଧକ
କବିତା ଆଜି ମନେ ପଡୁଅଛି,
''ଏବେ ମଧ୍ୟ ବଞ୍ଚିଛି' ଗଳ୍ପଟି ବ୍ୟକ୍ତିର ମାନବିକ
ଓ ନୈତିକ ମୂଲ୍ୟବୋଧକୁ ଦର୍ଶାଇଛି ।
ଆମେ ଯେଉଁମାନେ ସାହିତ୍ୟ ଲେଖୁ ଅଛେ
କାଢିବାନି ଗୋଡ଼ କାଦୁଅକୁ,
ଗୋଟେ ଗୋଟେ ଭଦ୍ରଲୋକର ଖୋଳପା
ଗଳେଇ ବାହାରୁଛେ ମଞ୍ଚକୁ ।
ସନ୍ଧ୍ୟା କିମ୍ବା ଦିନ ର ଆସରରେ ଲାଗୁ
ଅଛେ, କବିତା ସବୁ ପଢିବାରେ
ପଢି ସାରି, ନିଜର ଶ୍ରେଷ୍ଠ ମାନପତ୍ର ଧରି
ପୁଣି ଚାଲିଯିବା ନିଜ ନିଳୟରେ ।
ହାୟରେ, ଆମେ ସାହିତ୍ୟିକ, ସତ୍ୟର ଭାବୁକ
ଭାବୁଛୁ ଗୋଡ଼ କିଆଁ କାଢିବା
ଅତ୍ୟାଚାରରୂପୀ ଅନ୍ଧାରର ଦୀପ ଏମିତି ଝଲସୁ
ଥାଉ, ମାନପତ୍ର ଆମେ ସାଉଁଟିବା ।
ଭାବୁନେ କି, ଗାଧୁଆ ଘର କଳ ଖରାପ ହେଲେ,
କିମ୍ବା ଇଲେକ୍ଟ୍ରି ନଆସିଲେ,
ନେଉଛେ ସେମାନଙ୍କର ହିସାବ ଜୀବନ ଆମର
ବିପଦଗ୍ରସ୍ତ ହୋଇଲେ ।
ଆକଣ୍ଠ ପିଇ ଗଲେଣି ଗରଳ, ଶବ୍ଦ ଧାରରେ
କବିତାକୁ ଶାଆଣ ଦେଇ
ନର୍କେତର ଐଶ୍ୱର୍ଯ୍ୟରେ ଏକ ପ୍ରକାର ସପନ
ସ୍ଵର୍ଗର ପ୍ରସ୍ତୁତିରେ ଥାଇ ।
ସମକାଳୀନ ସମାଜ ବ୍ୟବସ୍ଥା, ସା°ସ୍କୃତିକ ଓ
ରାଜନୈତିକ ଚିତ୍ରକୁ ରୂପ ଦେଇ,
କୁସ°ସ୍କାର, ଅପସ°ସ୍କୃତି,
କୁବ୍ୟାପାର ସବୁ ଧ୍ବ°ସର
ଚିନ୍ତା ଚେତନା ଦେବା ଯୋଗାଇ ।
ଜାଗିବା ଚାଲ, କବିତାରୂପୀ ଆଲୁଅରେ ଏତିକି
ଅନ୍ତତଃ ଜଣେଇ ଦିଆଯାଉ
ହଟାଇବା ଅନ୍ଧାର, ଅନ୍ଧ ହୋଇଥିବା ମଣିଷ ମନେ
ଆଗକୁ ଯିବାର ପ୍ରେରଣା ନିଅଣ୍ଟ ନହେଉ ।