କାରୁବାକୀ ମୁଁହ
କାରୁବାକୀ ମୁଁହ
ତୁମେ ଆଉ
ତୁମକୁ ନେଇ କେତେ ଆକ୍ତାମାକ୍ତା କଳ୍ପନା
ତୁମକୁ ମନରେ ବସେଇ ଚିତ୍ରିତ ଭାବନା
ବ୍ୟସ୍ତତା ଭିତରେ ବି ଅନନ୍ତ ଆନମନା
ମଝିରେ ମଝିରେ ମୁରୁକି ହସର ମୁର୍ଚ୍ଛନା
ତୁମେ ଆଉ
ଝରକା ସେପାଖେ ଶ୍ରାବଣ ଆନମନା
ବାରମ୍ଵାର ମନେ ପଡ଼ୁଛ ଅତୀତ ଆଇନା
ଧସେଇ ପଶି ଆସୁଛ ହୃଦ କବାଟକୁ ଛୁଅଁନା
ଠେଲି ପେଲି ଆଲୁଳାୟିତ କୁନ୍ତଳା ମୋ ସୁନା
ତୁମେ ଆଉ
ସ୍ବପ୍ନ ବତୁରା ମନ ତଳେ ସାଇତା ଯୋଛନା
ବାହାରେ ଛେଚୁଚି କୁଟକୁଟା ବର୍ଷା ଘନଘନା
ମୋ ଭିତରେ କଡ଼ ଲେଉଟାଏ ବିରହ ବେଦନା
ଜିବନ୍ୟାସ ଦେବାକୁ ଲଙ୍ଗଳା ଇଛାଙ୍କୁ ଆନମନା
ତୁମେ ଆଉ
ଶିଭଳିଲଗା ମନ ଅସହାୟ ଇଚ୍ଛା ଯୌବନ
ପାଦ ଖସେଇବ କହି କହି ହୃଦୟ କମ୍ପମାନ
ଖିଆଲି ହୃଦୟଟା ବଡ଼ ଅମାନିଆ କନକନ
ବର୍ଷାଲଗ୍ନା କୋହଲା ପାଗରେ ବେପଥୁ ଚେତନ
ଗାଢ଼ ଅନ୍ଧକାରେ ଅଣ୍ଡାଳେ ରାତ୍ରୀର ଶେଷ ପ୍ରୀତିଫୁଲ କେତନ
ତୁମେ ଆଉ
ତୁମର ହଳଦୀ ଗୁରୁଗୁରୁ ମଖମଲୀ ଦେହ
ପଲକରେ ଝଲକରେ ସାଇତିଛି କୁହୁକ କୋହ
ମୋ ଭିତରେ ଶୋଇଥିବା ପ୍ରେମିକଟା
ଭଠିବସେ ମନକୁ ଆସିଲେ ତୁମ ସୁନାନାକୀ
କାରୁବାକୀ ମୁଁହ
ତୁମେ ଆଉ
ତୁମର ଭାବନା ତରଙ୍ଗର ସପ୍ତବର୍ଣ୍ଣି ଧାରେ
ବର୍ଷା ଧରଳା ନିରୋଳା ମୁକୁଳା ପ୍ରହରେ
ଘନ ଘୋର ମେଘ ମହ୍ଲାର ବାହାରେ ଝରେ
ଭିତରେ ଭିତରେ ଗୁମୁରି ସୁମରି ପ୍ରେମିକ ମରେ
କାହି କେଉଁ ଅନାଦି ଅନନ୍ତ କାଳରୁ
ଦୁଇ ହସ୍ତ ପ୍ରସାରୀ
ଖୋଲା ମେଲା ଆମନ୍ତ୍ରଣ କରି କରି ହାରେ
ତୁମେ ଆଉ
ତୁମର କୋମଳ ସ୍ନେହିଳ ପରଶ ବାସ ଚନ୍ଦନ
ଆହାଃ ! ସ୍ଵପ୍ନରେ ବରଂ ହେଉ ମଧୁ ମିଳନ
ବାସ୍ତବରେ ହେବ ପରେ ଅଭିଲେହନ
ସମୟ କହିବ ଧିରେ ମୁକୁଳିତ ପଦଛନ୍ଦନ
ସବୁ ଆଖିବୁଜା ନିସର୍ତ୍ତ ସମର୍ପଣ ଅଙ୍କଶୟନ ।