STORYMIRROR

Jagannath Barik

Classics

4  

Jagannath Barik

Classics

କାହ୍ନୁ କଣ କରିବରେ

କାହ୍ନୁ କଣ କରିବରେ

1 min
470


କାହ୍ନୁ କଅଣ କରିବ ରେ, ଦୋ ଛକିରେ ଆଜି ଠିଆ 

ଏପଟେ ଯଶୋଦା ସେପଟେ ଦେବକୀ 

          ଡାକୁଛନ୍ତି ଆଆ ଆଆ (0)

ଦଶ ମାସ ଗର୍ଭେ କଲା ଯେ ଧାରଣ 

       ସହି ସୀମାହୀନ ଦାରୁଣ କଷଣ 

ଦୁଃଖିନୀ ମାଆର ନୟନର ନୀରେ 

         କାରାଗାର ହୁଏ ଧୁଆ |(1)

ଏକ ପରେ ଏକ ଷଡ଼ ଗୋଟି ପୁତ୍ର 

       ବଢ଼ାଇ ଦେଇଛି ଯିଏ କଂସ ହସ୍ତ 

ମର୍କତ ଶିଳାରେ କଚାଡ଼ିଲା ବେଳେ 

         ଫଟାଇ ଦେଇଛି ହିଆ |(2)

ଅଷ୍ଟମ ଗର୍ଭକୁ ରହିଲା ଅନାଇ 

     ଆସିବ ବୋଲି ତା କାଳିଆ କହ୍ନାଇ 

ହଟିବ ଅନ୍ଧାର ଉଇଁବ ଭାସ୍କର 

     ଚାହେଁ ଅଭାଗିନୀ ମାଆ |(3)

ଏପଟେ ଯଶୋଦା ସେନେହରେ ବନ୍ଧା 

      କାହ୍ନୁ ପାଇଁ ଭୁଲିଗଲା ସବୁ ବାଧା 

କରି ଗଣ୍ଠିଧନ ରଙ୍କର ରତନ 

      ପାଦେ ପାଦେ ହେଲା ସାହା |(4)

କେଡ଼େ ଶରଧାରେ ଦହି ଦୁଧ ସରେ 

      ବଢ଼ାଇଲା ତନୁ ଖୁଆଇ ସ୍ୱକରେ 

ଦଣ୍ଡେ ହେଲେ ଡେରି ବାଇଆଣି ପରି 

      ଦାଣ୍ଡରେ ବାଡ଼ିରେ ଠିଆ |(5)

ମମତାର ମୂଲ୍ୟ ଅଟଇ ଅମୂଲ୍ୟ 

     ବାତ୍ସଲ୍ୟ ପ୍ରେମ ତ ଜଗତେ ଅତୁଲ୍ୟ 

ସମ୍ଭାଳି ଅଝଟ କରିଛି ଆକଟ 

      ପାଳିଛି ଯଶୋଦା ମାଆ |(6)

କାହାକୁ ଛାଡ଼ିବ କାହାକୁ ଧରିବ 

      କିଏ ସେ କାନ୍ଦିବ କିଏ ସେ ହସିବ 

କାହାର ମିଶାଣ କାହାର ଫେଡ଼ାଣ 

      ଦୁଇ ପଟେ ଦୁଇ ନାଆ |(7) 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics