କାହିଁକି ?
କାହିଁକି ?
ଅମୃତ ଝରା ଜାହ୍ନବୀ ଝରଣ
ପବିତ୍ର କରିଛି ଭାରତ ଭୂଇଁ
ବିଦ୍ରୋହ ନିଆଁ ଜଳୁଛି ତଥାପି
ଉଠେ ଧୂଆଁ କିଆଁ ଆକାଶ ଛୁଇଁ ।।
ରାତିର ରଜତ ମୁକୁରେ ଜହ୍ନ
ଅପଲକ ନେତ୍ରେ ରଜନୀ କାଟେ
କିମ୍ପାଇଁ ତେବେ ରଜନୀ ଗନ୍ଧାରେ
ନୀରାଶ କୁସୁମ ତା ବୃନ୍ତେ ଫୁଟେ ।।
ପ୍ରଭାତେ ଅର୍କ କୋମଳ ମୟୂଖ
କାଳରାତ୍ରିର ସେ ଅନ୍ଧାର ହରେ
ଅମିତ ଦୁଃଖ ବେଦନା ଯନ୍ତ୍ରଣା
ଲୁହ ବଦଳରେ ରକତ ଝରେ ।।
ଫୁଲ ଫୁଟି ହସେ ଅନିଳ ସ୍ପର୍ଶେ
ପ୍ରକୃତି ପୁଲକେ ବିତରେ ସ୍ନେହ
ନଷ୍ଟ ପ୍ରେମରେ କିଟଦ୍ରଂଷ୍ଟ ଫୁଲ
କାହିଁକି ? କିପାଇଁ ଢାଳଇ ଲୁହ ।।
ପ୍ରକୃତି ତା ଭବ୍ୟ ଅବ୍ୟର୍ଥନାର
ମହକ ଛୁଟାଇ ସ୍ଵାଗତ କରେ
ତେବେ କିଆଁ ମନ ଅସହିଷ୍ଣୁତା
ସୀମାରେଖା ଡେଇଁ ଯାଉଛି ଖରେ ।।
ବିହଙ୍ଗ ମଧୁର ମଧୁ ସଙ୍ଗୀତ
ଉଛୁଳି ଉଠୁଛି ଦିବ୍ୟ ସ୍ଵରରେ
ନିଶବଦ କିଆଁ ଭୁମିରୁ ଭୁମା
କେଉଁ କୁହୁକିନୀ ମନ୍ତ୍ର ବଳେ ।।
ଆକୁଳ ବିନତୀ ବିକଳ ସ୍ଵର
ଭିଜାଇ ଦେଉଛି ନୟନ ଦୁଇ
ସୁହାଗ ଶଦ୍ଦର ସମ୍ଵେଦନତା
କାହିଁକି ? “ନୀରବି ଯାଉଛି ସମାଜ ପାଇଁ” ।।
ଅମୃତ ପ୍ରବାହ ସ୍ପର୍ଶେ ସତେକି
ଆବିଳ କର୍ଦ୍ଦମ ଧୌତେ ପଙ୍କଜ
ପ୍ରଷ୍ଫୁଟିତେ ଧରା ହୋଇବ ଦିବ୍ୟ
ଉଦୟ ହୋଇବେ ନୂତନ ସୂର୍ଯ୍ୟ ।।
