STORYMIRROR

SARATA KUMAR DAS

Fantasy Others

4  

SARATA KUMAR DAS

Fantasy Others

କାଗଜଡଙ୍ଗା ରେ ମୋ କାଗଜଡଙ୍ଗା

କାଗଜଡଙ୍ଗା ରେ ମୋ କାଗଜଡଙ୍ଗା

1 min
361


କାଗଜଡଙ୍ଗାରେ ମୋ କାଗଜଡଙ୍ଗା 

ଭାସିଯାଆ ତୁ ଭାସିଯା'

ହସି ହସି ତୋତେ ମେଲାଣି ଦେଉଛି

ଦୂରଦେଶେ ତୁ ଭାସିଯା' ।।


ବିଜୁଳି ଚମକେ ଘଡଘଡି ମାରେ 

ସୁଲୁ ସୁଲୁ ବହେ ବାଆ

ଡରିଯିବୁ ନାହିଁ ଥକିଯିବୁ ନାହିଁ 

ନୀଳପାରାବାରେ ଭାସିଯା'  ।।


ବାଟରେ ଭେଟିବୁ କେତେ ତୀର୍ଥକ୍ଷେତ୍ର

ତରୁଲତା ନଦନଦୀ

ଏମିତି ଏ ପୁଣ୍ୟ ରାଇଜ ମୋର ରେ

ଶସ୍ଯ ଶ୍ୟାମଳାରେ ବନ୍ଦୀ  ।।


ମହୋଦଧି କୂଳେ ଦର୍ଶନ କରିବୁ

ଜଗନ୍ନାଥ ଶ୍ରୀମନ୍ଦିର 

ଭୁବନେଶ୍ଵରରେ ବାବା ଲିଙ୍ଗରାଜ 

କୋଣାର୍କେ ସୂର୍ଯ୍ୟମନ୍ଦିର  ।।  


ଝଙ୍କଡକୁ ଥରେ ଧାଇଁଯିବୁ ବାରେ

ଦେଖିବୁ ମାଆ ଶାରଳା

ଚାହିଁ ଦେବୁ ଥରେ ଘଟଗାଁ ତାରିଣୀ

କାକଟପୁରେ ମଙ୍ଗଳା    ।।


ଯାଜପୁରେ ଯାଇଁ ଭେଟିବୁ ବିରଜା

ବାଙ୍କୀରେ ମାତା ଚର୍ଚ୍ଚିକା

ସମ୍ବଲପୁରରେ ମାଆ ସମଲେଇ 

ବଡମ୍ବାରେ ଭଟ୍ଟାରୀକା   ।।


ପାପ ତାପ ତୋର କ୍ଷୟ ହୋଇଯିବ

ଲଭିବୁ କେତେ ଆଶିଷ

ଏଇ ମାଟି ପରା ସରଗ ଠୁ ବଡ

ଚନ୍ଦନ ଚନ୍ଦନ ବାସ    ।।


ମହାନଦୀ କୂଳେ ଚାଲି ଯିବୁ ଥରେ

ଦେଖିବୁ ତୁ ବାରବାଟୀ

ଇତିହାସ ଯା'ର ଗାଏ ଜୟଗାଥା

ଭଗ୍ନ ଆଜି ବୀରମାଟି   ।।


ବାଟେ ଗଲାବେଳେ ଛୁଇଁ ଦେଇ ଯିବୁ

ପୁଣ୍ୟତୋୟା ବୈତରଣୀ 

ଛୁଇଁ ଛୁଇଁ ଯିବୁ ଚିତ୍ରୋତ୍ପଳା ତୁ ରେ

ଭାର୍ଗବୀ ପୁଣି ବ୍ରାହ୍ମଣୀ   ।।


ଜାତୀୟ ଉଦ୍ୟାନ ଶିମିଳିପାଳ ତୁ

ଦେଖିଦେଇ ଯିବୁ ଥରେ 

ବାଘ ଭାଲୁ ସଂହ କେତେ ପଶୁପକ୍ଷୀ 

ବୁଲୁଥିବେ ଆନନ୍ଦରେ  ।।


ପ୍ରାକୃତିକ ଶୋଭା କେତେ ମନଲୋଭା 

ପାଇବୁ ତୁ ସୁଖଶିରୀ

କିଚିରିମିଚିରି ଶବ୍ଦ ଶୁଭୁଥିବ

ତୋ ହୃଦୟ ଯିବ ଭରି  ।।


କାଗଜଡଙ୍ଗାରେ ମୋ କାଗଜଡଙ୍ଗା 

ଭାସିଯା' ତୁ ଭାସିଯାଆ

ତୋ ଫେରିବା ବାଟ ଚାହିଁ ମୁଁ ରହିଛି

ହସ ଖୁସି ନେଇ ତୁ ଆ   ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Fantasy