ଜୟଜୟ ଦୁର୍ଗା ମାଆ
ଜୟଜୟ ଦୁର୍ଗା ମାଆ
ଜୟଜୟ ଦୁର୍ଗା ମାଆଗୋ ଜୟ ଦୁଃଖ ହାରିଣୀ
ପାଦେ କୋଟିକୋଟି ପ୍ରଣାମ ଦୟାମୟୀ ଜନନୀ।
ନାନା ସ୍ଥାନେ ନାନା ରୂପରେ ମାଆ ପୂଜା ପାଉଛ
ଭକତଙ୍କ ମନବାଞ୍ଛା କୁ ତୁମେ ପୂର୍ଣ୍ଣ କରୁଛ।
ଦୁର୍ଗତିନାସିନୀ ମାଆଗୋ ପାପତାପ ନାଶିନୀ
ତୁମ ନାମ ଧ୍ଯାଇ ବଖାଣେ ମାଗୋ ତୁମ କାହାଣୀ।
କାକଟପୁରରେ ମଙ୍ଗଳା ମାଗୋ ମଙ୍ଗଳମୟୀ
କାହିଁ କେତେ ଯୁଗ ହେଲାଣି ପୂଜା ପାଉଛ ତହିଁ।
ପ୍ରାଚୀ ନଦୀ ଚକ୍ରଗଣ୍ଡ ରେ କରିଥିଲ ଶୟନ
ନାଆ ବାହୁଥିଲା ଧୀବର ସ୍ବପ୍ନେ ଦେଲ ଦର୍ଶନ।
ନଦୀ ଗର୍ଭୁ ଆଣି ତୁମକୁ ସେତ କଲେ ସ୍ଥାପନ
ଭକତ ବତ୍ସଳା ମାଆ ଗୋ ତୁମେ ଭକ୍ତ ଜୀବନ।
ଶ୍ରୀମନ୍ଦିର ସହ ତୁମର ମାଗୋ ଭାବ ବନ୍ଧନ
ନିଶାର୍ଦ୍ଧରେ ଯାଇ ଶ୍ରୀକ୍ଷେତ୍ର କର ପ୍ରଭୁ ଦର୍ଶନ ।
ନବକଳେବର ବରଷ ନୂଆ ଦାରୁ ସନ୍ଧାନ
ଦଇତା ମାନଙ୍କୁ ଦେଇଗୋ କରିଥାଅ ମା ଧନ୍ୟ।
ଚଇତି ମଙ୍ଗଳବାର ରେ ତୁମ ଝାମୁ ଯାତରା
ଭକତ ଙ୍କୁ ଢ଼ାଳି ଦିଅ ମା ତୁମ ଆଶିଷ ଧାରା ।
ଝଙ୍କଡ଼ ବାସିନୀ ଶାରଳା ମାଗୋ ସିଂହ ବାହିନୀ
ତୁମେ ସରସ୍ଵତୀ ଦୁର୍ଗା ଗୋ ତୁମେ ବିଦ୍ଯା ଦାୟିନୀ।
ତୁମେ ଦୟାକଲେ ମୂର୍ଖ ଯେ ହୋଇଥାଏ ପଣ୍ଡିତ
ସେ ଲାଗି ତ କବି ଲେଖକ ସବୁ ତୁମ ଭକତ।
ତୁମରି ଦୟାରୁ ସାରଳା ଦାସ ମୂରୁଖ ହୋଇ
ଓଡ଼ିଆରେ ମହାଭାରତ ଲେଖି ଗଲେ ଯେ ସେହି ।
ସମ୍ବଲପୁରରେ ମାଆଗୋ ତୁମେ ସମଲେଶ୍ଵରୀ
ମହାନଦୀ ବହିଯାଉଛି ଗାଇ ଗାଥା ତୁମରି ।
ବର୍ଷ ସାରା ମୁଖେ ସିନ୍ଦୂର ହୋଇଥାଅ ଲେପନ
ଦଶରାରେ ହୁଅ ଧବଳ ମୁଖି ବୋଳି ଚନ୍ଦନ।
ନୂଆଖାଇ ଦିନ ପୀଠ ଯେ ତୁମ ପଡେ ଉଛୁଳି
ଶହସ୍ର ଶହସ୍ର ଭକ୍ତଙ୍କ ଲାଗିଥାଏ ଗହଳୀ।
ପାଦ କ୍ଷେତ୍ର ଭାବେ ଶ୍ରୀକ୍ଷେତ୍ର ପୁରାଣରେ ବର୍ଣ୍ଣିତ
କ୍ଷେତ୍ରେଶ୍ବରୀ ତହିଁ ବିମଳା ଶ୍ରୀମନ୍ଦିରେ ପୂଜିତ।
ତନ୍ତ୍ର ରେ ବିମଳା ଭୈରବୀ ଜଗନ୍ନାଥ ଭୈରବ
ବିମଳା ଯେ ଦୁର୍ଗା ରୂପିଣୀ ଜଗନ୍ନାଥ ମାଧବ।
ବଳଭଦ୍ରଙ୍କର କ୍ରିୟା ସେ ଜଗନ୍ନାଥ ଙ୍କ ମାୟା
ସୁଭଦ୍ରାଙ୍କ ଇଛା ଶକତି ଭକତଙ୍କୁ ସେ ସାହା।
ନାଭି ଗୟା ଯାଜପୁରରେ ବିଜେ ମାଆ ବିରଜା
ବୈତରଣୀ ନଦୀ କୁଳରେ ମାଆ ପାଆନ୍ତି ପୂଜା।
ପିତାମହଙ୍କର ଯଜ୍ଞରୁ ମାଆ ହେଲେ ଉତ୍ପତ୍ତି
ଦୁଇଭୂଜା ଦେବୀ ଦୁର୍ଗା ସେ ତାଙ୍କ ଅପୂର୍ବ ମୂର୍ତ୍ତୀ।
ମହିଷମର୍ଦ୍ଦିନୀ ଦେବୀ ଗୋ ମାଆ ସିଂହ ବାହିନୀ
କାନ ଡ଼େରି ଶୁଣି ଥାଅ ଗୋ ଦୀନ ଦୁଃଖ ଦୟିନୀ।
କୋଣାରକେ ରାମଚଣ୍ଡୀ ଗୋ ମାଆ ପ୍ରଣତି ଘେନ
ରାମଚନ୍ଦ୍ର କରିଥିଲେ ଯେ ତୁମକୁ ତ ସ୍ଥାପନ ।
ସେଥିପାଇଁ ରାମଚଣ୍ଡୀ ଯେ ତୁମ ହୋଇଲା ନାମ
କୁଶଭଦ୍ରା ନଦୀ କୁଳରେ ଶୋଭେ ମନ୍ଦିର ତୁମ।
କଳାପାହାଡ଼ ର ଗରବ ତୁମେ କରିଛ ଚୁନା
ଅସୀମ ମହିମାମୟୀଗୋ ଉଡେ ଜଗତେ ବାନା ।
ବାଣାସୁର ପୁର ବୋଲିଯେ କ୍ଷାତ ବାଣପୁରରେ
ମାଆ ଭଗବତୀ ପୂଜିତା କି ସୁନ୍ଦର ମନ୍ଦିରେ।
ଅଷ୍ଟଭୂଜା ଦେବୀ ଦୁର୍ଗା ସେ ଅସ୍ତ୍ରଶସ୍ତ୍ର ଶୋଭିନୀ
ମହିଷମର୍ଦ୍ଦିନୀ ମାଆଗୋ ଦେବୀ ସିଂହ ବାହିନୀ ।
ବୌଦ୍ଧ ଆଉ ଆଦିବାସୀ ଯେ ଜଗନ୍ନାଥ ସଂସ୍କୃତି
ଭଗବତୀ ପୀଠେ ମିଳିତ ଗାଇ ମାଆଙ୍କ କ୍ଷାତି।
ଭକ୍ତ ତାଙ୍କ ପ୍ରିୟ ବୋଲିତ ମାଆ ସଦା ଚର୍ଚ୍ଚିତ
ନାମ ତେଣୁ ତାଙ୍କ ଚର୍ଚ୍ଚିକା ସେତ ଜଗତେ କ୍ଷତ।
ବାଙ୍କୀ ରେ ରହିଛି ପର୍ବତ ନାମ ତାର ରୁଚିକା
ସେହି ପରବତ ଶିଖରେ ବିଜେ ମାଆ ଚର୍ଚ୍ଚିକା।
ଅଷ୍ଟଭୂଜା ସେତ ଚାମୁଣ୍ଡା ରଣାସୁର ଉପରେ
ଛିଡ଼ା ହୋଇ ଦୟା ବାଣ୍ଟନ୍ତି ଯିଏ ଡାକେ ଭକ୍ତିରେ ।
ତାଳଚେରେ ବିଜେ ହିଙ୍ଗୁଳା ଅଗ୍ନି ସ୍ବରୂପା ମାତା
ଯୁଗ ଆରମ୍ଭ ରୁ ମାଆ ଯେ ହେଉଛନ୍ତି ପୂଜିତା।
ଚୈତ୍ର ଶୁକ୍ଳ ଚତୁର୍ଦ୍ଦଶୀ ରେ ମାଆ ଉଭା ହୁଅନ୍ତି
ନଅଦିନ ଧରି ଦେହୁରୀ ତାଙ୍କୁ ପୂଜା କରନ୍ତି।
ଭକତ ଙ୍କ ମନ କାମନା ମାଆ କରନ୍ତି ପୂର୍ଣ୍ଣ
ଭାବ ଭକତିରେ ଭକତେ ତାଙ୍କୁ କରନ୍ତି ଧ୍ଯାନ।
ବାରିପଦା ରେ ମା ଅମ୍ବିକା ସେତ ଶିବ ଘରଣୀ
ଶୁମ୍ଭ ନିଶୁମ୍ଭ ଙ୍କୁ ନିଧନ କରିଥିଲେ ଜନନୀ।
ରାଇଜ ରାଇଜ ବାହାରୁ ଭକ୍ତ ଆସନ୍ତି ନିତି
ଦୀପ ଜାଳି ମାଆଙ୍କର ଯେ ଜୟଗାନ କରନ୍ତି।
ମାଆଙ୍କ ମଙ୍ଗଳ ଗୀତରେ ଚଉଦିଗ ଉଛୁଳେ
ଭକ୍ତିରେ ଡାକିଲେ ମାଆଙ୍କୁ ତାଙ୍କ ଆଶିଷ ମିଳେ ।
ଚିଲିକା କୂଳରେ ଗାଁଆଟି ନାମ ଭୁଷଣ୍ଡପୁର
ସେ ଗାଁଆରେ ଉଗ୍ରତାରା ଙ୍କ ଅଛି ଭବ୍ୟ ମନ୍ଦିର।
ବିପଦୁ ତାରନ୍ତି ବୋଲି ସେ ନାମ ହୋଇଛି ତାରା
ଉଗ୍ରତାରା ଅବସାଦରୁ ମୁକ୍ତି କରନ୍ତି ପରା ।
ଚତୁର୍ଭୁଜା ଦେବୀ ଭବାନୀ ସେତ ପଦ୍ମ ଆସନୀ
ନୀଳ ସରସ୍ଵତୀ ଭାବରେ ବିଦ୍ୟା ବୁଦ୍ଧି ଦାୟିନୀ ।
କଳାହାଣ୍ଡି ଇଷ୍ଟଦେବୀ ଗୋ ମାଆ ମାଣିକେଶ୍ଵରୀ
ଛିନ୍ନ ମସ୍ତା ମହାବିଦ୍ୟା ସେ ପୁଣି ସେ ଖମ୍ବେଶ୍ୱରୀ।
ମାଆ ଙ୍କ ଛତର ଯାତରା ସେତ ଜଗତେ କ୍ଷାତ
ଯାତ ଦେଖିବାକୁ ଆସନ୍ତି ବହୁ ଦୂରୁ ଭକତ ।
ଛତର ଆଗରେ ପଡଇ ପଶୁ ପକ୍ଷୀଙ୍କ ବଳି
ମାଆତ ଦିଅନ୍ତି ଭକ୍ତଙ୍କୁ ଶୁଭ ଆଶିଷ ଢାଳି ।
କାଳିଜାଇ ବଡ଼ ପ୍ରତ୍ୟକ୍ଷ ଉଡେ ଜଗତେ ଧ୍ବଜା
ଚିଲିକା ମଝିରେ ମାଆତ ପାଉଅଛନ୍ତି ପୂଜା ।
ନଉକାରେ ବସି ଭକତେ ଗାଇ ମାଆଙ୍କ ନାଆଁ
ଯାଆନ୍ତି ମାଆଙ୍କ ପାଖକୁ ମାଆ ହୁଅନ୍ତି ସାହା।
ମାଆଙ୍କ ମକର ଯାତରା ପୀଠ ପଡ଼େ ଉଛୁଳି
ଦିନରାତି ଲାଗିରହେ ତ ଭକତ ଙ୍କ ଗହଳୀ।
ହଜାର ବର୍ଷର ସହର କଟକ ରେ ମାଆଗୋ
ତୁମେତ କଟକ ଚଣ୍ଡୀଙ୍କ ରୂପେ ପୂଜା ପାଅଗୋ।
ଅପୂର୍ବ ତୁମରି ମୂରତୀ ଆଖି ରୁହଇ ଲାଖି
ଶୋକ ତାପ ଯାଏ ଉଭେଇ ଦେଲେ ତୁମକୁ ଦେଖି।
ଦୀପ ଜାଳି ତୁମ ପାଖରେ ଭକ୍ତେ ଦୁଃଖ ଜଣାନ୍ତି
ଦୁଃଖ ଦୂର କର ବୋଲିଗୋ ଅଛି ତୁମରି କ୍ଷାତି।
ଘୋର ବିପଦରୁ ତାରନ୍ତି ବୋଲି ସେତ ତାରିଣୀ
ଘଟଗାଁଆରେ ତ ପୂଜିତା ମାଆ ନଡ଼ିଆ ରାଣୀ।
ଯେତେବେଳେ ଯିଏ ଯେଉଁଠି ମାଆଙ୍କୁ ତ ଡାକନ୍ତି
କାନ ଡ଼େରି ତାର ଡାକକୁ ମାଆ ନିଶ୍ଚେ ଶୁଣନ୍ତି।
ଅଶରଣ ଜନେ ମାଆତ ଦେଇଥାନ୍ତି ଶରଣ
ଭକ୍ତିରେ ଭକତେ କରନ୍ତି ତାଙ୍କୁ ନିତି ସ୍ମରଣ।
ରୂପ ନାମ ସିନା ଅନେକ ତୁମେ ସବୁରି ମାଆ
ବିପଦେ ଆପଦେ ସନ୍ତାନେ ତୁମେ ହୁଅଗୋ ସାହା ।
ତୁମରି ଦୟାରେ ଦୁନିଆ ହେଉ ଅମୃତ ମୟ
ସ୍ନେହ ମମତାର ଆଶିଷ ମାଗୋ ବୁହାଇ ଦିଅ।
ଜୟଜୟ ଦୁର୍ଗା ମାଆଗୋ ଜୟ ଦୁଃଖ ହାରିଣୀ
ଦୋଶାଦୋଷ କୁ ମୋ କ୍ଷମିବ ଦୟାମୟୀ ଜନନୀ।
