ଜୟ ମୃତ୍ୟୁ ମହାତୀର୍ଥ
ଜୟ ମୃତ୍ୟୁ ମହାତୀର୍ଥ
ଜୀବନ ଯେଉଁଠି ଜଟିଳ ଗଣିତ
ଖାଲି ମିଛ ଅଭିନୟ ,
ମୃତ୍ୟୁ ତ ' ସେଇଠି ସମାଧାନ ସୂତ୍ର
ପୂର୍ଣ୍ଣତାର ବରାଭୟ ।
ଜୀବନ ଯେଉଁଠି ନୀରବ, ନିଷ୍ପ୍ରଭ
ଶୁଖିଲା ଆଖିର କୋହ ,
ମୃତ୍ୟୁ ତ' ସେଇଠି ଚିର ସମାଧାନ
ଶେଷ ଦୁଇ ଟୋପା ଲୁହ ।
ଜୀବନ ଯେଉଁଠି ସ୍ବାର୍ଥ ଛଳନାରେ
ହୋଇଯାଏ ନାରଖାର ,
ମୃତ୍ୟୁ ତ ' ସେଇଠି ମୁଦ୍ରିତ ନୟନେ
ଚିହ୍ନାଏ କେ' ଆପଣାର ।
ଜୀବନ ଯେଉଁଠି ଦୃଷ୍ଟିହୀନ ପଥ
ଖାଲି ମୋହ ଖାଲି ଶୋଷ ,
ମୃତ୍ୟୁ ତ' ସେଇଠି ଶ୍ମଶାନ ଜୁଇର
କେବଳ ମୁଠେ ପାଉଁଶ ।
ଜୀବନ ଯେଉଁଠି ଦୁଃଖ, ଗ୍ଲାନି, ଚିନ୍ତା
ସ୍ମୃତିର ଦୀର୍ଘ ନିଃଶ୍ୱାସ ,
ମୃତ୍ୟୁ ତ' ସେଇଠି ଅନ୍ତିମ ଅଧ୍ୟାୟ
ତୁଳସୀ, ଚନ୍ଦନ ବାସ ।
ଜୀବନ ଯେଉଁଠି ସାଧୁ ମୁଖାଧାରୀ
ଚରିତ୍ରଙ୍କ କଟୁ ଭାଷ ,
ମୃତ୍ୟୁ ତ ସେଇଠି ଶତ୍ରୁଙ୍କ ଓଠରେ
ଲିଭାଏ ଖୁସିର ହସ ।
ଜୀବନ ଯେଉଁଠି ଟାହୁଳି ,ଟାପରା
କେତେ ମିଛ କେତେ ପାପ ,
ମୃତ୍ୟୁ ତ ସେଇଠି ଚେତାବନୀ ଦେବ
ବିଳାପ ହୃଦୟ ଶାପ ।
ତିଳ ତିଳ କରି ଜୀବନ ଜଳୁଛି
ନିଗିଡ଼ି ପଡୁଛି ରକ୍ତ ,
ମାନ ,ମହତକୁ ବଜାୟ ରଖିବ
ଜୟ ମୃତ୍ୟୁ ମହାତୀର୍ଥ ।
