Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Arjuni charan Behera

Inspirational Others

4  

Arjuni charan Behera

Inspirational Others

ଜୟ ମା' ବିରଜା

ଜୟ ମା' ବିରଜା

1 min
940



ଗଙ୍ଗାଙ୍କ ଭଗୀନି ପୁଣ୍ୟ ବୈତରଣୀ

ଗୋନାସିକା ଠାରୁ ଝରି

ଉତ୍କଳର ଗଙ୍ଗା ବହିଯାଉଅଛି

ଏ ଭୂମି ପବିତ୍ର କରି l


ଆଖଣ୍ଡଳପୀଠେ ପୁଣ୍ୟତୋୟା ପୁଣି

ସାଗରେ ବିଲୟ ହୋଇ

ତା କୂଳେ ଆସ୍ଥାନ ଯଯାତି ନଗରେ

ମହାମାୟୀ ବିରଜାଇ l


ବିପ୍ର ବେଦ ମାଆ ବିରଜାଙ୍କ ସଙ୍ଗେ

ବସନ୍ତି ତହିଁ ଅଚ୍ୟୁତ

ବରାହ ରୂପରେ ବୈତରଣୀ ତୀରେ

ପଞ୍ଚ ବ'କାର ସେ କ୍ଷେତ୍ର l


ଯଯାତି ନଗର ବିଖ୍ୟାତ ଜଗତେ

କ୍ଷେତ୍ର ମଧ୍ୟେ ଅଟେ ମଣି

ଐତିହ୍ୟ ପ୍ରସିଦ୍ଧ ଯାଜପୁର ପୂର୍ବେ

ଉତ୍କଳର ରାଜଧାନୀ l


ନାଭିଗୟା ପୀଠ ଅତୀବ ପବିତ୍ର

ପିଣ୍ଡେ ପିତୃ ଯାନ୍ତି ତରି

ବାରୁଣୀ ସ୍ନାହାନ ଅଶ୍ୱମେଧ ଘାଟେ

ପୁଣ୍ୟଦାୟୀ ଅସୁମାରୀ l


ବ୍ରହ୍ମା କରିଥିଲେ ଦିବ୍ୟ ବ୍ରହ୍ମ ଯଜ୍ଞ

ନାମ ଥିଲା ଯାଗପୁର

ବରାହ ବିରଜା ଯଜ୍ଞ ଆବିର୍ଭୁତା

କଥା ଅଛି ପୁରାଣର l


ଦଶ ଅଶ୍ୱମେଧ ସମ୍ପାଦି ଯଯାତି

ପୁଣ୍ୟ ବୈତରଣୀ ତଟେ

କାନ୍ୟକୁବ୍ଜ ଠାରୁ ବିପ୍ର ଆସିଥିଲେ

ଦଶାଶ୍ୱମେଧର ଘାଟେ l


ବିରଜା ଦେବୀଙ୍କ ବାହନ ଅଟଇ

ପଶୁରାଜ ଯେ କେଶରୀ

କେଶରୀ ବଂଶକୁ ଥାପିଲେ ଯଯାତି

ଦେବୀ ଆଜ୍ଞା ଘେନା କରି l


ବିରଜା ଗିରିଜା ଭୂମିଜା ମାଆଲୋ

ବରଦାୟୀ ବିଶ୍ଵମ୍ଭରା

ତୋହର ପୟର ଭବାବ୍ଧି ନଉକା

ପ୍ରାଣୀ ଲୋଡ଼ନ୍ତି ଆଶରା l


ମାଆ ଦୟାବତୀ ଘେନ ମୋ ପ୍ରଣତି

ମଙ୍ଗଳା ମା' ଦଶ ଭୁଜା

ଜୟ ମା' ମଙ୍ଗଳା ଜଗତ ମଙ୍ଗଳେ

ଯାଜପୁରେ ଉଡ଼େ ଧ୍ବଜା l

         


Rate this content
Log in

Similar oriya poem from Inspirational