STORYMIRROR

Chinmaya Kumar Nayak

Inspirational

4  

Chinmaya Kumar Nayak

Inspirational

ଜୟ ମା ଭାରତୀ

ଜୟ ମା ଭାରତୀ

1 min
357

ମୋ ଦେଶ ଭାରତ ହେଉ ବନ୍ଦିତ

ବିଶ୍ୱ ମାନବ ହୃଦୟରେ,

ତ୍ରିରଙ୍ଗା ମୋ ସଦା ରହୁ ଉନ୍ନତ

ସ୍ୱାଭିମାନ ଭରା ଆକାଶରେ। 


ନ ହେଉ କୁଣ୍ଠିତ ସାଧାରଣଟିଏ

ପାଇବାକୁ ତାର ଅଧିକାର

ଉପେକ୍ଷିତ ନୋହୁ ଦରିଦ୍ର ଜନତା

ନ୍ୟାୟ ପାଇଁ ନୋହୁ ଅବିଚାର

ଭାରତୀର ନନ୍ଦିଘୋଷ ନ ଅଟକୁ

ପ୍ରଗତିର ଦୀର୍ଘ ପଥ ପରେ।


ସାର୍ବଭୌମ ଗଣତନ୍ତ୍ର ରାଷ୍ଟ୍ର ଭାବେ

ଅଛି ଯେଉଁ ଆମ ପରିଚୟ,

ସ୍ୱେଚ୍ଛାଚାରିତାର ମହା ଆଡମ୍ବରେ

ନ ହେଉ ତାର କେବେ ବିଲୟ

ଏକତାର ମନ୍ତ୍ର ବାଜି କମ୍ପି ଉଠୁ

ଅଖିଳ ବିଶ୍ୱର ଚେତନାରେ। 


ସମ୍ବିଧାନ ହେଉ ଭାଗ୍ୟ ବିଧାତା

ନ ହୋନ୍ତୁ ଶାସକ ଜନତାର,

ନିର୍ବାଚନ ପରେ ପ୍ରତାରିତ ହୋଇ

ନ ହୋନ୍ତୁ ନିରାଶ ଭୋଟର

ଭାରତ ମାତାର ସନ୍ତାନ ହୋଇ 

ଗାଇବା ଜୟ ତା ପୁରେ ପୁରେ। 


ଅଧିକାର ପାଇଁ ରାଜରାସ୍ତା ପରେ

ଧର୍ମଘଟ ନୋହୁ ବିରୋଧର,

ଶାସନର ଅର୍ଥ ଶାସନ ନ ହୋଇ

ସେବା ହିଁ ହେଉ ନିଦର୍ଶନ

ଆମ ସୁଶାସନ ଶଙ୍ଖ ବାଜି ଉଠୁ

ପ୍ରତି ଜନତାର ଦରଜାରେ। 


ନେତା କି ଜନତା ଧନୀ କି ଦରିଦ୍ର

ସଭିଙ୍କ ସମାନ ଅଧିକାର,

ନିରୀହ ଜନତା ଧାଡ଼ି ବାନ୍ଧି ଶେଷେ

ନ ଫେରୁ ପାଇ ସେ ତିରସ୍କାର

ଏକ ସ୍ୱରେ ଗାନ୍ତୁ ଦେଶ ଜୟକାର

ଜାତି ଧର୍ମ ନିର୍ବିଶେଷରେ। 


ନାରୀଟିଏ ନୋହୁ ନିର୍ଯାତିତା ଏଠି

ଅନ୍ୟାୟର ହେଉ ସୁବିଚାର,

ରାବଣର ବଦ୍ଧ ପରେ ହିଁ ସମ୍ଭବ

ମୋ ସ୍ୱପ୍ନର ରାମରାଜ୍ୟର

କନ୍ୟାଟିଏ ଏଠି ଆସିବା ଆଗରୁ

ନ ହଜୁ ମାତାର ଗର୍ଭରେ। 


ଜୟ ମା ଭାରତୀ ତୋ ପଦେ ପ୍ରଣତି

କରୁଅଛୁ ଆମ୍ଭେ ଭକ୍ତିଭରେ,

ତୋ ଛିଣ୍ଡା ପଣତ ବଦଳେଇ ଦେବୁ

ସଜାଇ ନୂତନ ବସନରେ। 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational