ଜରିଗୋଟାଳି
ଜରିଗୋଟାଳି


କେଉଁଠୁ ଆସେ ପୁଣି କେଉଁଠି ଯାଏ କେହି ଜାଣି ନଥାନ୍ତି
ଦିନ ମାସ ବାର ବର୍ଷର ଠିକଣା ଗୋଟାଉ ଗୋଟାଉ
କେତେବେଳେ ସଞ୍ଜ ହେଇଆସେ
ପୁଣି ଫେରିବାର ରାସ୍ତା ଅସ୍ପଷ୍ଟ
ବୈଶାଖର ଝାଞ୍ଜିରେ ଚିରା ଶାଢ଼ୀରୁ ଫାଳେ ଲମ୍ବିଥାଏ,
ଛୁଉଁଥାଏ ମାଟିକୁ।
ଜୀବନର ସଂଘର୍ଷରେ ରୋଟି ଦୁଇପଟର ମହତ୍ତ୍ୱ
ଭୁଲାଉଥାଏ ଘନ କୁହୁଡି ଅବା ଋତୁ ବଦଳିବାର ସ୍ୱର।
ନିଜ ଆହୁଲାର କାତରେ ଯୋଡି ହୁଏ
ଯେମିତି ଫୁଲେଇ ଫଗୁଣ,
ଗୁଣୁଗୁଣୁ ଗୀତ ଗାଇ ଘୁରି ବୁଲେ
ରାସ୍ତାର ଏପାଖ ସେପାଖ
ସହର ବଜାର ଗଳିକନ୍ଦି
ସମାଜର ରୀତିନୀତି ବଦଳୁଥାଏ।
ନୂଆନୂଆ ଖବରରେ ସମୟଟା,
କେବେ ଅତିଷ୍ଠ ପୁଣି କେବେ ଉତ୍ସବମୁଖର।
ସେ କିନ୍ତୁ ଏ ସବୁକୁ ଖାତିର ନକରି
ଖୋଜୁଥାଏ ,
ତା ଖୋଜିବା ଭିତରେ
ମଣିଷ ପଣିଆଟା ଚୁପଚାପ କଡ଼ ଲେଉଟାଏ।