ଜରି ଗୋଟାଳି
ଜରି ଗୋଟାଳି


କଅଁଳ କଳି ମୁଁ ଜରି ଗୋଟାଳି
ଶଇଶବ ମୋର ପଡଇ ବଳି
କଅଁଳ ହାତରେ ସାଉଁଟେ ଜରି ମୁଁ
ବୁଲି ଏ ସହର ଗଳିକୁ ଗଳି
ଜରି ଗୋଟାଳି ମୁଁ ଜରି ଗୋଟାଳି ।
କଅଁଳ ବୟସ କପାଳ ଫଟା
ନିଇତି ସପନ ପଖାଳ ମୁଠା
ପେଟ ପାଇଁ ମୋର ଜରି ମୁଁ ଗୋଟାଏ
ସପନକୁ ମୋର ପାଦରେ ଦଳି
ଜରି ଗୋଟାଳି ମୁଁ ଜରି ଗୋଟାଳି ।
ମୋ ସାଙ୍ଗର ପିଲା ପାଠ ପଢନ୍ତି
ସକାଳୁ ସକାଳୁ ସ୍କୁଲ ଯାଆନ୍ତି
ସକାଳ ହେଲେ ମୁଁ ଛିଣ୍ଡା ଅଖା ଧରି
ବାହାରି ପଡେ ମୋ ଆଖିକୁ ମଳି
ଜରି ଗୋଟାଳି ମୁଁ ଜରି ଗୋଟାଳି ।
କଅଁଳ ଆଖିରେ ଅନେକ ଆଶା
 
; ଦୁନିଆ ବୁଝେନି ଅକୁହା ଭାଷା
ପଢିବା ବୟସ ବଢିବା ବୟସ
ମନ ଖୁସିରେ ମୁଁ ପାରୁନି ଖେଳି
ଜରି ଗୋଟାଳି ମୁଁ ଜରି ଗୋଟିଳି ।
ଧରିବାକୁ ମନ ବହି କଲମ
ଉପାସ ରହିବି ନକଲେ କାମ
କଅଁଳ ଡେଣା ମୋ ବାଟବଣା ହୁଏ
ଭବିଷ୍ୟତ ମୋର ଯାଉଛି ଜଳି
ଜରି ଗୋଟାଳି ମୁଁ ଜରି ଗୋଟାଳି ।
ସମୟ କି ସତେ ଭରସା ହେବ
ମନକଥା ମୋର ବୁଝି ପାରିବ
ପଢିବାକୁ ମୋତେ ସୁଯୋଗ ଦେବସେ
ନୂଆ ଆଶା ମୋର ମନନରେ ବୋଳି
ଜରି ଗୋଟାଳି ମୁଁ ଜରି ଗୋଟାଳି ।