ଜନ୍ମ ମୃତ୍ୟୁ ଖେଳ
ଜନ୍ମ ମୃତ୍ୟୁ ଖେଳ
ଜନ୍ମ ପରେ ମୃତ୍ୟୁ ହୁଏ ମୃତ୍ୟୁ ପରେ ପୁନଃ ଜନ୍ମ
ଏତ କି ବିଚିତ୍ର ଖେଳ କୁହ କାହିଁ ପାଇଁ ।
ନର କି ଦେବତା କିମ୍ବା ତୃଣ କିଟ ,କି ପତଙ୍ଗ
ସର୍ବେ ଜନ୍ମ ମୃତ୍ୟୁ କଷ୍ଟ ପାନ୍ତି କାହିଁ ପାଇଁ ।
ଜୀବନ ଚକ୍ରର ଏହା ଧ୍ରୁବ ସତ୍ୟ ବୋଲି ଜାଣି
ମଣିଷ ମଣିଷତ୍ବ ହରାଏ କଣ ପାଇଁ ।
ସୂର୍ଯ୍ୟ ଅସ୍ତ ହେଇଗଲେ ସଞ୍ଜ ତ ଆସଇ ନଇଁ
ବିଶାଳ ଏ ଧରା ବୁକୁ ଶିଥିଳ ପଡଇ ।
କର୍ମକ୍ଳାନ୍ତ ଦିବା ଶେଷେ ଶୀଥିଳ ପଡଇ ଆତ୍ମା
ବାପା ତୁମେ ଶୋଇ ଗଲ ସବୁଦିନ ପାଇଁ ।
ଅମାବାସ୍ୟା ଅନ୍ଧକାର ମାଡି ଆସିଲା କି ସତେ
ଜୀବନେ ଆମର ସତେ ବାପା ତୁମ ପାଇଁ ।
କାଲି ତୁମ ହସ ଥିଲା କଥା କୁହା ଆଖି ଥିଲା
ଆଜି ଏତେ ଦୂରତା ରଖିଲ କାହିଁ ପାଇଁ ।
ଶ୍ରଦ୍ଧା ରେ ସେ ପିଣ୍ଡ ଦାନେ, ନାହିଁ ଆମ ଅଧିକାର
ବିଭା ଦେଇ ପର ଗୋତ୍ରୀ କଲ କାହିଁ ପାଇଁ ।
ତୁମ ସୌମ୍ଯ ରୂପକାନ୍ତି ଦେଖାଯାଏ ନୀତି ନୀତି
ଆଖି ଭିଜି ଅଶ୍ରୁ ଧାରା ବୁହେ କାହିଁ ପାଇଁ ।
ଅତି ଆପଣାର ଥିଲ ମନ ଚିହ୍ନି ଦେଉଥିଲ
ଭୋକିଲା ପେଟରେ ଅନ୍ନ ଦେଲ କାହିଁ ପାଇଁ ।
ମୃତ୍ୟୁ ଯଦି ଦିବ୍ୟ ସତ୍ୟ ଯାଣି ଅଜଣା କେମନ୍ତ
ହେଲ ତୁମେ କୁହ ବାପା ଆମ ଘର ପାଇଁ ।
ତୁମ ଆଶୀର୍ବାଦ ବିନା ଶୂନ୍ୟ ପଡିଛି ଅଗଣା
ତୁମ ଅନ୍ତେ ବାପା ନାଁ ହଜିଲା କାହିଁ ପାଇଁ ।
ବଡ ବିଶ୍ରାମ ପାଇଲ ଆମ ବୋଝ ଭୁଲି ଗଲ
ତାରା ମେଳେ ତାରା ଫୁଲ ହେଲ କାହିଁ ପାଇଁ ।
ଯେଉଁଠି ରହୁଛ ରୁହ ଶ୍ରୀ ବିଷ୍ଣୁଚରଣ ଲଭ
ବୈକୁଣ୍ଠ ପ୍ରାପ୍ତି ହୁଅ ଶ୍ରୀ ହରି ପାଦେ ଯାଇ ।
