STORYMIRROR

Priyabrata Mohanty

Tragedy

4  

Priyabrata Mohanty

Tragedy

ଜଳବନ୍ଦୀ

ଜଳବନ୍ଦୀ

1 min
346

ହାତରେ ହାତ  କଡ଼ି ନ ପଡି

ହୋଇଛି ସେତ ବନ୍ଦୀ,

ବାରିର ଘେରି  ରଚିଛି ବିହ୍ଵ

କରିଛି ଜଳବନ୍ଦୀ ।୧।


ବ୍ୟୋମରେ ବାୟୁ ଆଣି ବଉଦ

ଢାଳଇ ଜଳ ବିନ୍ଦୁ,

ନଦୀ ଠୁଁ ନାଳ   ଚଳ ଚଞ୍ଚଳ

ଉନ୍ମାଦ କରେ ସିନ୍ଧୁ ।୨।


ଲଂଘନ୍ତି ସୀମା   ନିଜ ନିଜର

ଭାଙ୍ଗୁଛି ବନ୍ଧ ବାଡ଼,

କ୍ଷୀପ୍ର ସ୍ରୋତରେ   କରେ ପ୍ରହାର

ଉପୁଡ଼େ ବୃକ୍ଷ ଜଡ଼ ।୩।


ଭାସୁଛି ଚାଷ   ଭାଙ୍ଗିଛି ବାସ

କରିଛି ସର୍ବନାଶ,

ମାନବ ଯଶ   ହୋଇଛି ଅସ୍ତ

ଜଳ କରଇ ହାସ ।୪।


ତୃଣଠୁଁ ତରୁ   ନରଠୁଁ ଗୋରୁ

ଭାସନ୍ତି ସୁଅ ଧାରେ,

ଆର୍ତ୍ତ ଚିତ୍କାରେ   ହନ୍ତସନ୍ତରେ

ଅମୂଲ୍ୟ ପ୍ରାଣ ହାରେ ।୫।


ଭୋକ ଉପାସେ   ପଡିଛି କୋଣେ

କଏଦୀଟିଏ ହୋଇ,

ଧ୍ଵଂସ ବିଧ୍ଵଂସ   ଧନ ସମ୍ପଦ

ସମ୍ବଳ କିଛି ନାହିଁ ।୬।


ନିରାଶା ବହ୍ନି   ଜାଗ୍ରତ ହୁଏ

ପାଏ ନା ଥଳକୂଳ,

ଚାରି ଦିଗରେ   ପାଣି ହିଁ ପାଣି

ସର୍ବତ୍ର ଏକ ତଳ ।୭।


ସଡ଼କ ଭାଙ୍ଗି   ଯାତାୟତକୁ

କରିଛି ପ୍ରଭାବିତ,

ବିଜୁଳି ହୀନ   ହୋଇଛି ଧରା

ସୁବିଧାରୁ ବଞ୍ଚିତ ।୮।


ରାସ୍ତା କଡ଼ରେ   ପଡିଛି କେତେ

କୁଢ଼ କୁଢ଼ ମୁର୍ଦାର,

ପଚା ଗନ୍ଧରେ   ଫାଟୁଛି ନାକ

ଉଜୁଡିଛି ସଂସାର ।୯।


ଡଙ୍ଗାରେ ଚାଲେ  ଉଦ୍ଧାର କାର୍ଯ୍ୟ,

ଚାଲେ ଖାଦ୍ୟ ବଣ୍ଟନ,

ଉଡାଜାହାଜ   ରିଲିଫ ବୁଣେ

ବଞ୍ଚେ ପ୍ରାଣୀ ଜୀବନ ।୧୦।


ନାହିଁ ଯେ ନୀଡ଼   ନାହିଁ ବି ଗଡ଼

ନ ଚଳେ ହାତ ଗୋଡ଼,

ଦଇବ ମାଡ଼   କଠୋର ବଡ଼

ଭାଙ୍ଗିଛି ମେରୁ ହାଡ଼ ।୧୧।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy