STORYMIRROR

Minakshi Samal

Drama Fantasy

3  

Minakshi Samal

Drama Fantasy

ଜିଜ୍ଞାସା

ଜିଜ୍ଞାସା

1 min
265


ମନର ମଧ୍ୟରେ କୌତୁହଳ ଜନ୍ମିଲା

ଭୟଙ୍କର ଏକ ଜିଜ୍ଞାସାର 

ଅଚାନକ ହେଲା ସୂତ୍ରପାତ

ତୁହାତୁହା ପ୍ରଶ୍ନବାଚୀ ମନକୁ

ଆକତା ମାକତା କରି ପକାଇଲା

ଇଛା ସବୁକୁ ଢାଙ୍କୁଣୀରେ ଘୋଡେଇ ଦେଇ

ମାପିବାକୁ ଚାହିଁଲି ସମ୍ପର୍କର ଗଭୀରତା।

କଥାରେ ଅଛି 'ଦିଆ ନିଆର ସଂସାର'

'ଦେଇ ଥିଲେ ପାଇ'

ନଦେବାର ପରିଣାମ ଜାଣିବାର ଉତ୍କଣ୍ଠା

ଜାଗ୍ରତ ହେଲା ମନେ

ତତକ୍ଷଣାତ ପରୀକ୍ଷାଗାରର

ବୁନସେନ୍ ବର୍ଣ୍ଣର ଜଳାଇ

ରଖିଲି ତାପରେ ବିକର ସବୁ

ଗୋଟିକ ପରେ ଗୋଟିଏ

ଆରମ୍ଭ କଲି ଗବେଷଣା ମୋର।

ପ୍ରଥମ ପର୍ଯ୍ୟାୟରେ ପରୀକ୍ଷାର 

ଫଳସବୁ ଗୋଳିଆ ମିଶା ମନେହେଲା

ସ୍ପଷ୍ଟରୂପେ ବୁଝି ହେଲାନାହିଁ

ସମ୍ପର୍କର ମନସ୍ତତ୍ତ୍ବ।

ମନକୁ ବୁଝାଇ କହିଲି,ଧୈର୍ଯ୍ୟଧର ବତ୍ସ

ଅପେକ୍ଷାର ଫଳ ସର୍ବଦା ମିଠା ହୋଇଥାଏ

ଅନ୍ୟଥା ନହୁଏ କେବେ ମହାମନୀଷିଙ୍କ ବାଣୀ

ଅପ୍ରିୟ ସତ୍ୟ ବଚନ ତାହା 

ନିସୃତ ଯେ ମୁନି ଜନଙ୍କ ମୁଖରୁ।


ଅନ୍ତରାତ୍ମା କରୁଥିଲା ବିଳାପ

କିନ୍ତୁ ମନକୁ ଲଗାମ ଲଗାଇ ପାରି ନଥିଲି

ଆଦ୍ୟ ପଦକ୍ଷେପଟି ଥିଲା କଷ୍ଟକର

ମୁଖପୁସ୍ତିକାର ବନ୍ଧୁ ଓ ବାନ୍ଧବୀ ମାନଙ୍କୁ

ଇଛାକୃତ ଭାବେ ଲାଇକ,କମେଣ୍ଟ ଦେବା ବନ୍ଦକରି

ଦେଖିବାର ଅପେକ୍ଷାରେ ରହିଲି ଏହାର ଫଳାଫଳ

ଦ୍ବିତୀୟରେ ପରିଚିତ ମାନଙ୍କୁ ଫୋନ ନ କରି

ଅପେକ୍ଷା କରି ରହିଲି ଦେଖିବାକୁ

ଯେ ମୁଁ ସତରେ ସେମାନଙ୍କର ମନେପଡେ କି ନା

ବନ୍ଧୁ ବାନ୍ଧବଙ୍କ ଘରକୁ ଯିବା କମ କଲି

ଜାଣିବାପାଇଁ ଯେ ଏଥିରେ କିଛି

ଫରକ ପଡୁଛି କି ନାହିଁ

ସେମାନଙ୍କ ଗୃହରୁ ଫେରିବା ପଥରେ

ତାଙ୍କ ସନ୍ତାନ ସନ୍ତତିଙ୍କ ହାତରେ 

ନିଜ ହାତ ମନଖୋଲି ପୂର୍ବପରି ଅର୍ଥଦାନର

ମାତ୍ରା ଟିକେ କମ କରିଦେଲି।

ଯାହାକିଛି କରୁଥିଲି ସବୁଥିଲା ପରୀକ୍ଷାମୂଳକ

ପରିଣାମ ମିଳିଗଲା କିଛିଦିନ ମଧ୍ୟେ

ସ୍ଫଟିକ ପରି ପରିଷ୍କାର ହୋଇଗଲା

କୁହେଳୀ ଅପସରି ଆଲୋକ 

ଚତୁର୍ଦ୍ଦିଗେ ଖେଳିଗଲା

ବ୍ରହ୍ମ ସତ୍ୟ ଜଗତ ମିଥ୍ୟା

ଉକ୍ତି ଉପରେ ପ୍ରତ୍ୟୟ ଆସିଲା

ସଂସାର ମାୟା ଛଡା କିଛି ନୁହେଁ,

ସବୁ ମାୟାରେ ବାୟା ଆଦି ଭାବନା

ସତ୍ୟ ପ୍ରମାଣିତ ହେଲା।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Drama