STORYMIRROR

BHAGIRATHI SETHI

Abstract Thriller

3  

BHAGIRATHI SETHI

Abstract Thriller

ଜୀବନର ଚିତ୍ର

ଜୀବନର ଚିତ୍ର

1 min
250

ମନେ ମନେ ଭାବୁଥିଲି

ମୋ ଗାଁର ଚିତ୍ର

ବଦଳି ଯାଇଛି ସିନା ଗାଁର ପ୍ରକୃତି

ଗାଁ ଦାଣ୍ଡ ଆଜି ପକ୍କାର କଂକ୍ରିଟ୍

ଭାବନାରେ ଭାସୁଥିଲା ମୋ ପିଲା ଦିନ

ଗାଁ ଦାଣ୍ଡ ଧୂଳି ଖେଳ

ଗାଁ କୋଳାହଳ

ସ୍ମୃତି ଧାରେ ଉଙ୍କି ମାରେ

ସେ ସବୁର ଚିତ୍ର

ଆଜି କିନ୍ତୁ ଲାଗୁଅଛି

ସବୁ ହିଁ ବିଚିତ୍ର । ୧ ।

ଗାଁ ଦାଣ୍ଡ ଥିଲା ମୋର

ଧୂଳି ଓ ଧୂସର

ସ୍ମୃତି ପାଖୁଡାରେ ଝରେ

ଶଗଡ଼ର କେଁ କଟର

କଳିଆ କସରାଙ୍କ ଯୋଡ଼ି

ଜୁଆଳି କାନ୍ଧରେ

ପାହାନ୍ତି ପ୍ରହରେ ଶୁଭେ

ଶବ୍ଦ ଘର୍ ଘର୍ ଲଙ୍ଗଳ ଈଷରେ

ଚଇତି ବର୍ଷାର ଝଡି ପରେ

ବିଲ ଗହୀର ପାଟ ନଈ କୂଳ

ଚାଷୀ ଯାଏ ଚଷିବାକୁ

ଖରାଟିଆ ହଳ । ୨।

ଚାଷୀ ପୁଅ ମୁଣ୍ଡେ ଠେକା

ଠେକା ରେ ପଖାଳ କଂସା

ପଖାଳ ସୁଆଦ ଦ୍ବିଗୁଣିତ କରିଥାଏ

ଆଳୁ ପୋଡା, କଞ୍ଚା ଲଙ୍କା

ମହ ମହ ବାସ୍ନା ଦିଏ

ସରୁ ପିଆଜ ସାଥିରେ

ଦି’ ଟିପା ଲୁଣ

ଦରକାର ପଡେ ନାହିଁ

ନ' ଭଜା ଛ' ତିଅଣ

ଅତି ଯତ୍ନେ ରହିଥାଏ

ସ୍ନେହ ପ୍ରେମ ମିଶା ମିଶି

ଘରଣୀ ପରଷା । ୩।

ଆଜି କିନ୍ତୁ ଯାଇଅଛି ହଜି

ସେଦିନର କର୍ମମୟ ଜୀବନ

ମଣିଷକୁ କରିଅଛି ସଅଳ

ଚାଷ କାମ କରିଯାଏ ଟ୍ରାକ୍ଟର

କେତେ ଆଧୁନିକ ଯନ୍ତ୍ର ମାନଙ୍କର

କୋଳାହଳ ଶୁଭେ ଖାଲି

ଯାନ୍ତ୍ରିକ ଶବ୍ଦର

ଚାଷ ଜମି ଆଉ ଜମି ହୋଇ ନାହିଁ

ବଦଳି ଯାଇଛି ଆଜି

ପ୍ଲଟିଙ୍ଗ୍ ରୂପରେ

ମାପ ଯୁପ ହେଉଅଛି

ଫୁଟ ଅବା ସ୍କୋୟାର୍ ଫୁଟରେ

ହଜି ଯାଇଅଛି ମାପକାଠିର

ଗୁଣ୍ଠା, ବିଶ୍ବା, ମାଣ ଅବା ବାଟି

ସତରେ କେତେ ସରଳ ଥିଲା ସେଦିନ

ଜୀବନର ଚିତ୍ର

ଆଜି କିନ୍ତୁ ଅନେକ ଫରକ

ଆଧୁନିକତାର କରାଳ ଛାୟାରେ

ଲାଗଇ ସବୁ ହିଁ ବିଚିତ୍ର । ୪।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract