ଝୁରୁଛି ଯମୁନା ଝୁରେ କଦମ୍ବ
ଝୁରୁଛି ଯମୁନା ଝୁରେ କଦମ୍ବ
କୋଇଲି ଗାଉ ନି ଗୀତ କୁଞ୍ଜ ବନରେ
ରାଧାର ଘୁଙ୍ଗୁର ଶବ୍ଦ ନ ଶୁଭେ କର୍ଣ୍ଣରେ,
ଗୋପୀ ଗୋପାଙ୍ଗନା ନ ଯାଆନ୍ତି ହୋଇ ଆନମନା
ଝୁରୁଛି କଦମ୍ବ ଏଠି ଝୁରେ ଯମୁନା ।
ବସନ୍ତ ଲାଗୁଛି ଫିକା ନିଦାଘ ପରି
ଚାଲିଗଲେ କଳାକାହ୍ନୁ ଭୁଲି ସ୍ନେହ ସବୁରି,
ଶୈଶବର ଅଳି ନାହିଁ ଯଶୋଦା କୋଳେ
ନାହାଁନ୍ତି ସୁଦାମା, ସୁବଳ, ରାଧା, ଲଳିତା ମେଳେ ।
ମଥୁରାକୁ ବିଜେ କଲେ ଜଗତ ସାଇଁ
ଅଷ୍ଟ ପାଟବଂଶୀ ଦେଲେ ତାଙ୍କୁ ଭୁଲାଇ,
ରାଧା ଝୁରି ଝୁରି ପାଗଳିନୀ ହୋଇଲା
ଯମୁନା ନଈ ବେସୁରା ରାଗିଣୀ ଗାଇଲା ।
ଗୋପପୁର ହସୁଥିଲା କାହ୍ନା ନାଚରେ
ହାଏ ଏ ସମୟ ନିଷ୍ଠୁର ସାଜିଲା ଭାଗ୍ୟରେ,
ଲୁହ ପିଇ ରାଧା କାହ୍ନୁକୁ ଝୁରିଲା
ବୃଦ୍ଧ ପିତାମାତାଙ୍କର ଅନ୍ଧ ଲଉଡ଼ି ଗଲା ।
ଆଉ କି ଫେରିବ ଗୋପ ଦାଣ୍ଡ ହସିବ
ଗୋପାଳ ଗୋପୀଙ୍କ ମେଳେ କାହ୍ନା ଖେଳିବ,
ଲାଗିଥିଲା କି ଚହଳ ଗୋପପୁରେ କାହ୍ନୁରେ
କାହିଁ ଗଲୁ ଶ୍ୟାମଘନ ହୃଦୟ ଝୁରେ ।
ପ୍ରେମ ଏଠି ଫିକା ପଡେ ଭାଙ୍ଗେ ଆଇନା
ରାଧା ପ୍ରେମରେ କି ଥିଲା କାହ୍ନୁ ଛଳନା,
କେମିତି ଭୁଲିଲୁ ତୁହି ଏ ମନ ଜମା ବୁଝେନା
କିଏବା ସହିବ ଏ ବିରହ ଯାତନା ।
ଫେରିଆ ତୁ ଫେରିଆ ଆ ରେ କାହ୍ନା
ଝୁରୁଛି କଦମ୍ବ ପୁଣି ଅମାନିଆ ଯମୁନା,
ତୁ ଫେରିଲେ ଗୋପପୁରି ହସି ଉଠିବ
ସତରେ କାହ୍ନୁ ତୋର କୃପା ହୋଇବ ।
