ଝରକାର ଆରପାଖେ
ଝରକାର ଆରପାଖେ
ଝରକା ସେପାଖେ ତୁମ ଗାଆଁ ଦିଶେ
ଏପାଖରୁ ଯେବେ ଚାହେଁ ,
ପୁନେଇ ଜହ୍ନଟା ଦିଶେ ତୁମ ପରି
ଭସା ମେଘ ମୋତେ କହେ।
ମୁହଁ ସଂଜ ବେଳେ ମୁହଁ ଦିଶେ ନାହିଁ
ତଥାପି ଅନେଇ ବସେ ,
ବହଳ ଅନ୍ଧାରେ ଚହଳ ପକେଇ
ତୁମ ହସ ଭାସି ଆସେ ।
ବିକଳରେ ଧାଏଁ ଝର୍କା ପାଶେ ଯେବେ
ତୁମ ଘରେ ଜଳେ ଡିବି ,
ଝାପ୍ସା ହେଉ ପଛେ ଦେଖି ତୁମ ମୁହଁ
ସୁଖ ନିଦ୍ରା ଟିକେ ଯିବି ।
ନିଦ ଆସେ ନାହିଁ ସପନ ଆସେନି
ରାତି ଢାଳୁ ଥାଏ ଲୁହ ,
କାଳି ଅନ୍ଧାରରୁ ଝରକାକୁ ଚାହେଁ
ଦିଶି ଯିବ କାଳେ ମୁହଁ ।
ଅଳସ ଆଖିରେ କଳସ କାଖେଇ
ଯାଉ ଥିଲ ଥିରି ଥିରି ,
ମୁକୁଳା କେଶରୁ ମଉଳା ଗୋଲାପ
ପଡ଼ୁଥିଲା ଝରି ଝରି ।
ସଜ ସ୍ନାନ ସାରି ସଜ କଇଁ ପରି
ଚାଲି ଗଲେ ଦାଣ୍ଡ ଦେଇ ,
ଚଗଲା ମନ ମୋ' ଚହଲି ଯାଉଛି
ଝର୍କା ଏପାଖରେ ରହି ।
ଖରାବେଳ ଖରା ଝର୍କା ଦେଇ ପଡ଼େ
ଭାବେ ମୁଁ ଦିଶିବ ସ୍ବଛ ,
ଆନମନା ହେଇ କେଶକୁ ଶୁଖାଅ
ଝରକାକୁ କରି ପଛ ।
ଝରକା ସେପାଖେ ହଜେଇ ମନକୁ
ଏପାଖେ ଖୋଜୁଛି ପ୍ରେମ,
ଲେଉଟାଣି ଖରା ଲେଉଟି ଚାହୁଁଛି
ବିରହୀ ପ୍ରେମିକା ସମ ।

