STORYMIRROR

Bidyadhar Panda

Children Comedy

3  

Bidyadhar Panda

Children Comedy

ଜହ୍ନମାମୁଁ ଥରେ ଓହ୍ଲାଅ

ଜହ୍ନମାମୁଁ ଥରେ ଓହ୍ଲାଅ

1 min
13.5K


ଜହ୍ନମାମୁଁ ଥରେ ଓହ୍ଲାଅ

 

ଜହ୍ନମାମୁଁ ବଡ଼ ଅମାନିଆ ତୁମେ

            କହିଲେ କଥା ଶୁଣୁନ

କେତେ ଦିନ ହେଲା ଡ଼ାକୁଚୁ ତୁମକୁ

            ଛାତକୁ କାହିଁ ଆସୁନ?

 

କେବେ ହୁଅ ଥାଳି କେବେ ଦାଆ ଭଳି

            ପ୍ରତିଦିନ ଛିଡ଼ ବଢ଼

ମାସକରେ ଦିନେ ଛୁଟି ବି ନଉଚ

            ଦେଖାଇ ଅନ୍ଧାର ତୋଡ଼

 

ଆଇର ଆଙ୍କୁଡ଼ୀ କେତେ ବଡ଼ ଜାଣ?

            ଗୁହାଳ ଚାଳେ ଖୋସିଛି

ଏଇ ପୂର୍ଣ୍ଣିମାରେ ନ ଖସିଲ ଯଦି

                ଆଙ୍କୁଡ଼ୀରେ ଦେବି ଖେଞ୍ଚି

 

ଆଉ ଗୋଟେ କଥା ପଚାରୁଚି କୁହ

            ମାଇଁ ଅଛି କେଉଁଠାରେ?

ଲୁଚକାଳି ଖେଳ ତାରା ଗହଣରେ

            ଏକାକୀ ସବୁ ରାତିରେ

 

କଳା ବାଦଲର ପଛେ ଦୌଡ଼ୁଚ

            ବେଳେ ବେଳେ ଯାଅ ଛପି

ବରଷା ରାତିରେ ଛତା ମାରୁଚକି?

            ପିନ୍ଧୁଛ ମୁଣ୍ଡରେ ଟୋପି?

 

ଦୟାକର ମାମୁଁ ଫୁରୁସତ ଦେଖି

            ଥରେ ଖାଲି ଆସ ପାଶେ

ମାଇଁଙ୍କ ସାଙ୍ଗରେ ଝଗଡ଼ା କଲକି?

            ଏକା ବୁଲୁଛ ଆକାଶେ

 

ମାମୁଁ ମାଇଁ ଯଦି ଆର ରବି ବାରେ

            ଆସି ଥାଆନ୍ତ ଓହ୍ଲାଇ

ସାନ ଭଉଣୀ ମୋ’ ଫୁଲେଇ ରାଧିକା

            ହୁଅନ୍ତା ଭାରି ଗେହ୍ଲେଇ

 

ସ୍ୱାଗତ କରନ୍ତୁ ଆମେ ଦୁହେଁ ଏଠି

            ବିଛାଇ ରଜନୀଗନ୍ଧା

ସୁସ୍ୱାଦୁ ବ୍ୟଞ୍ଜନ ରୋଷେଇ ବଢ଼ିଆ

            ମାଆଙ୍କର ହାତ ରନ୍ଧା

 

କୁନି ଭଉଣୀଟା ବହୁ ଗୀତ ଜାଣେ

            ଦିଶୁଛି ଯେପରି ପରୀ

ତୁମେ ଦୁଇଜଣ ଆମେ ଦୁଇଜଣ

            ଖେଳ ହେବ ଅନ୍ତାକ୍ଷରୀ

 

ଆକାଶରୁ ଥରେ ଓହ୍ଲାଇକି ଦେଖ

            କି ସୁନ୍ଦର ଆମ ଧରା?

ଫେରିବା ପାଇଁକି ମନ ହେବନାହିଁ

            ଭୁଲିଯିବ ଅପସରା


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Children