ପରିବାର
ପରିବାର
ଶାନ୍ତିର ନିର୍ଝର ଝରେ ସୁଧା ଝର
ସୁଖ ମମତା ର ସୁର
ସେଇପରା ଅଟେ ଆମର ମନ୍ଦିର
ପରିଚୟ ପରିବାର ।
ବାପା,ବୋଉ,ଦାଦା,ଖୁଡି,ପ୍ରିୟଜନ
ଭାଇ,ଭଉଣୀ ଏକାଠି
ମିଳିମିଶି ଥିଲେ ଝରଇ ଅମୃତ
ସରଗ ସୁଷମା ସେଠି ।
ଶାନ୍ତିର ରାଗିଣୀ ପଡୁଥାଏ ଝରି
ଏକ ସାଥେ ରହୁଥିଲେ
ଆଦର୍ଶ ସଂସ୍କାର ବିବେକ ବିଚାର
ଯୌଥ ପରିବାରୁ ମିଳେ ।
ଏକତା ର ବଳ ସୁଦୃଢ ଥିଲେହିଁ
ବାହ୍ୟ ବଇରି ପ୍ରମାଦ
ଆକ୍ରମଣ ଆଶା କଳ୍ପନା ଜନ୍ମେନି
ରଚିବାକୁ ରଣଭେଦ ।
ଆଜିର ସମୟେ ଘଟିଛି ବିଲୟ
ନାହିଁ ସେଇ ପରିବାର
ସ୍ବାର୍ଥ ଆଇନାରେ ବନ୍ଧା ଏ ମଣିଷ
ମନେ ଭରି ଅହଙ୍କାର ।
ଭାଇ ସାଥେ ଭାଇ ଶୀତଳ ସମରେ
ମନଟା ପଡ଼ିଛି ଫିକା
ନାହିଁ ଆନ୍ତରିକ ମମତା ବନ୍ଧନ
ପ୍ରତିଟି ପ୍ରାଣରେ ଶଙ୍କା ।
ଯେଉଁ ମନକାଶେ ଝରୁଥିଲା ମଧୁ
ସୁଖ ଶାନ୍ତିର ଝଲକ
ସେଇ ପରିବାରେ ହିଂସାର ଅସୁର
ରାଜ କରଇ ଆତଙ୍କ ।
ସମୟ ସୁଅରେ ସବୁ ଲିଭିଅଛି
ପରିବର୍ତ୍ତନର ଛବି
ମିଛେ ସ୍ଵାଭିମାନୀ ମନ ଝୁରୁଥିବ
ସୁଖି ପରିବାର ଭାବି ।
ଆଉ ଫେରିବକି ମମତାର ନୀଡ଼
ହସି ଉଠିବ କୁଟୀର
ମିଳନ ବନ୍ଧନ ଶାନ୍ତି ପାରାବାରେ
ହସୁଥିବ ପରିବାର ।
ଲାଗିବ ସୁନ୍ଦର ପ୍ରତି ପରିବାର
ଥିଲେ ଏକତାର ଭାବ
ଝରିବ ଅମୃତ ସୁଧା ମକରନ୍ଦ
ପ୍ରଗତି ବିକାଶ ଭାବ ।
