ଜାତିର ଜନକ ବାପୁଜୀ
ଜାତିର ଜନକ ବାପୁଜୀ
ବାପୁଜୀ, ଏକ ଅସାଧାରଣ ବଳିଷ୍ଠ ବିରଳ ବ୍ୟକ୍ତିତ୍ବ
ବାପୁଜୀ, ସଂଯମତା ର ଏକ ଶୀତଳ ଜଳ ସ୍ରୋତ
ଆପଣାର କର୍ମ ହିଁ ଧର୍ମ,ବାପୁଜୀଙ୍କ ହୃଦୟର କଥା
ପ୍ରଥମେ କାମ ପରେ କଥା ,ଏହା ହିଁ ତାଙ୍କ ସୁଚିନ୍ତା
ଯୁଗ ପୁରୁଷ ମୋହନ ଦାସ କରମ ଚାନ୍ଦ ଗାନ୍ଧୀ
ଭାରତର ଜାତିର ଜନକ ପରିଚୟ ମହାତ୍ମା ଗାନ୍ଧୀ
ଅଠରଶ ଅଣ-ସ୍ତରି ଅକ୍ଟୋବର ଦୁଇ ତାରିଖରେ
ଜନ୍ମିଥିଲେ ଗୁଜୁରାଟ ରାଜ୍ୟର ପୋରବନ୍ଦରରେ
ପିତା କାବା ଗାନ୍ଧୀ ମାତା ପୂତୁଲିବାଇ ଔରସରେ
ଜନ୍ମ ହେଲେ ଶିଶୁ ପୁତ୍ର ରୁପେ ଏକ ଶୁଭ ଲଗ୍ନରେ
ମୋହନ ଦାସ କରମ ଚାନ୍ଦ ଗାନ୍ଧୀ ନାମରେ ନାମିତ
କନିଷ୍ଠ ସନ୍ତାନ ଭାବେ ଯତ୍ନରେ ହୋଇଲେ ପାଳିତ
ପରିବାର ଭିତରେ ରହିଥିଲା ଆଧ୍ୟାତ୍ମିକ ପରିବେଶ
ସତ୍ୟ ଧର୍ମ ପ୍ରତି ବାପୁଜୀଙ୍କ ଥିଲା ଅଗାଧ ବିଶ୍ୱାସ
ଯେଣୁ ସମାଜରେ ବାଲ୍ୟବିବାହ ଥିଲା ପ୍ରଚଳିତ
ବୈବାହିକ ଜୀବନ ଆରମ୍ଭ କସ୍ତୁରବାଙ୍କ ସହିତ
ମ୍ୟାଟ୍ରିକ ପରୀକ୍ଷାରେ ଯେବେ ହୋଇଲେ ଉତ୍ତୀର୍ଣ୍ଣ
ବିଲାତ ଯାଇ ବାରୀଷ୍ଟରି ଶିକ୍ଷା କଲେ ସମାପନ
ଆଇନ ଶିକ୍ଷା ଲାଭ ପରେ ଫେରି ଆସିଲେ ଭାରତ
କିଛିଦିନ ଆଇନ ବ୍ୟବସାୟ ରେ ରହିଥିଲେ ବ୍ୟସ୍ତ
ଦକ୍ଷିଣ ଆଫ୍ରିକା ଯାତ୍ରା କଲେ ଅନୁରୋଧ କ୍ରମେ
କଳା ଗୋରା ଭେଦ ଭାବ କଥା ଜାଣିଲେ ପ୍ରଥମେ
ଅତ୍ୟାଚାର ଦେଖି ପ୍ରବାସୀ ଭାରତୀୟଙ୍କ ପ୍ରତି
ସତ୍ୟାଗ୍ରହ ସହ ବର୍ଣ୍ଣ ବୈଷମ୍ୟ ରୁ କରିଲେ ମୁକତି
ଉଣେଇଶ ଚଉଦ ରେ ଫେରି ଆସିଲେ ଦେଶକୁ
ହୃଦୟଙ୍ଗମ କରିଲେ ଦେଶର ପରାଧୀନ ଅବସ୍ଥାକୁ
ପରାଧିନତା ଫାଶରେ ଛନ୍ଦି ହୋଇଥିଲା ଏ ଭାରତ
ଇଂରେଜ ହାତରୁ ମୁକ୍ତି ପାଇଁ ହେଲେ ବ୍ୟାକୁଳିତ
ଅତ୍ୟାଚାରର ପ୍ରତିଶୋଧ ଆଦୌ ନୁହେଁ ଅତ୍ୟାଚାର
ସତ୍ୟ ଓ ଅହିଂସା ବାର୍ତ୍ତା କଲେ ଦେଶରେ ପ୍ରଚାର
ହିଂସା ଠୁ ଦୂରେଇ ଅହିଂସା ଚରିତ୍ର ହିଁ ବାପୁ ନିଜେ
ମନ୍ଦ ନ କହି-ଶୁଣି-ଦେଖି, ସ୍ବୀକାର ନିଜକୁ ନିଜେ
ମନର ଝରକା ଖୋଲି ନିଜ ଭିତର ହିଁ ଦେଖିବାକୁ
ମଣିଷ ନୁହଁ, ମହାନୁଭବ ଗାନ୍ଧୀ କହିଲେ ସଭିଙ୍କୁ
ବାପୁଙ୍କ ବାଣୀ ରେ ଥିଲା ଦେଶପ୍ରେମ ଉପାସନା
ତାହା ହିଁ ପ୍ରକୃତ ପ୍ରେମ,ନୁହେଁ ଆଦୌ ବିଡମ୍ବନା
ନାଗରିକଙ୍କ ନିଃଶ୍ୱାସେ ନିହିତ ଦେଶର ଅଧିକାର
ବାପୁଜୀ ହିଁ କହୁଥିଲେ ଏହା ଥରେ ନୁହଁ,ବାରମ୍ବାର
ବାପୁ,ଜୀବନର ପ୍ରତ୍ୟେକ ଦିଗରେ ଥିଲେ ଅଟଳ
ସତ୍ୟ ଅହିଂସା ଥିଲା ତାଙ୍କ ଜୀବନ ହୃଦୟ ସମ୍ବଳ
ସେ ଥିଲେ ଦେଶପ୍ରେମ ର ପ୍ରକୃତ ପୁଜାରୀ
ଜାତିର ଜନକ ମହାତ୍ମା ଗାନ୍ଧୀ,ପ୍ରିୟ ସବୁରି
ଦେଖିଥିଲେ ଦେଶବାସୀଙ୍କ ପ୍ରତି ଅତ୍ୟାଚାର
ଆଡେଇ ପଦ ମର୍ଯ୍ୟାଦା ହେଲେ ଆଗଭର
ନୀରବ ନ ରହି ଅତ୍ୟାଚାର ବିରୁଦ୍ଧରେ ସ୍ୱର
ସତ୍ୟାଗ୍ରହ ସଞ୍ଚାଳନ କରି ଅହିଂସା ରେ ସ୍ଥିର
ଶପଥ ନେଇ ବାପୁ,ପଛକୁ ଫେରି ନ ଚାହିଁଲେ
ବିଦେଶୀ ବର୍ଜନ ସହ ଖଦୀ ଲୁଣ ଆପଣାଇଲେ
ନିଜ ଶପଥ ରେ ରହିଲେ ଅଟଳ ଅହିଂସା ସହିତ
ଏକତାର ମନ୍ତ୍ରରେ ଦେଶବାସୀଙ୍କୁ କଲେ ଆମନ୍ତ୍ରିତ
"ଜାଲିଆନା"ଘଟଣା ପରେ ବି ବିନା ଅସ୍ତ୍ରେ ବିରୋଧ
ଅସହଯୋଗ ମାଧ୍ୟମରେ କରିଥିଲେ ପ୍ରତିବାଦ
ଇଂରେଜ ମାନଙ୍କ ପାଇଁ ଗାନ୍ଧୀ ହେଲେ ଚକ୍ଷୁଶୀଳ
କାରାଦଣ୍ଡ ଭୋଗିଲେ ବି ଦୃଢ଼ ଥିଲା ମନୋବଳ
ଭାରତ ଛାଡ ସ୍ଲୋଗାନ ଦେଲେ ତୁହାଇ ତୁହାଇ
ଗୌରବ ରେ ଭାରତକୁ ସ୍ବାଧିନତା ଦେଲେ ତହିଁ
ସତ୍ୟର ପୁରୋହିତ ପୁଣି ଅହିଂସାର ପୁଜାରୀ
ମୋହନ ଦାସ କରମ୍ ଚାନ୍ଦ ଗାନ୍ଧୀ,ବାପୁ ସବୁରି।।
ଫିରିଙ୍ଗି ଶାସନର ଅତ୍ୟାଚାର ଭାରତ ବକ୍ଷରେ
ନିରୀହ ଜନତା ହୋଇଲେ ଶିକାର ପ୍ରତି ମୁହୂର୍ତ୍ତରେ
ସେହି ମହାନ ଯୁଗପୁରୁଷ ତୋଳିଲେ ବିରୋଧ-ସ୍ୱର
ଅହିଂସା କୁ ଧର୍ମ ଭାବେ କରିଲେ ଦେଶରେ ପ୍ରଚାର
ସବୁ ଧର୍ମର ମୂଳମନ୍ତ୍ର ଏକ ବୋଲି କହିଲେ ବୁଝାଇ
ଜାତି ଓ ଜାତି ପ୍ରଥା ଦୂର ପାଇଁ ଆସିଲେ ଆଗେଇ
ସ୍ବରାଜ ବିଷୟ ବ୍ରିଟିଶ ମାନଙ୍କୁ କହିଲେ ଚେତାଇ
ବିଦେଶୀ ବର୍ଜନ ସହ ଖଦୀ କଲେ ଚରଖା ଚଳାଇ
ଆତ୍ମନିର୍ଭରଶୀଳ ସହ ସ୍ୱଦେଶୀ ନେଲେ ଆପଣାଇ
ଅସ୍ପୃଶ୍ୟ ଶୋଷିତ କଥା କହିଲେ ସଭିଙ୍କୁ ବୁଝାଇ
ନିରୀହ ଭାରତୀୟ ବଞ୍ଚି ରହିବାକୁ ମୁଣ୍ଡ ବିକିଥିଲେ
ଗୋଲ୍ ଟେବୁଲରେ ଭାରତର ଦାବୀ ଜଣାଇଲେ
ଆଣ୍ଠୁ ଲୁଚିଲା ପରି ସାଧା ପୋଷାକ ବେଶରେ
ପଦ ଯାତ୍ରା କରି ପ୍ରିୟପାତ୍ର ହେଲେ ଏ ଦେଶରେ
ଜନତାଙ୍କୁ ଆଗକୁ ବଢ଼ାଇ ସତ୍ୟ ଅହିଂସା ମାର୍ଗରେ
ଲବଣ ସତ୍ୟାଗ୍ରହ କରି ପ୍ରତିବାଦ କଲେ ଦାଣ୍ଡି ରେ
ଏକ ସାଧାରଣ ବ୍ୟକ୍ତି ଇତିହାସ ସୃଷ୍ଟି କରିଥିଲେ
ଶୋଇ ରହିଥିବା ସିଂହ ବି ଜାଗ୍ରତ ହୋଇଲେ
ବିନା ଯୁଦ୍ଧ,ବିନା ଅସ୍ତ୍ରରେ ଭାରତ ସ୍ଵାଧୀନ ଲଭିଲା
ସ୍ବାଧିନତାର ଆତ୍ମା ବି ଭାରତୀୟଙ୍କ ଜାଗ୍ରତ ହେଲା
ସ୍ୱାଧୀନତା ପରେ ଅଖଣ୍ଡ ଭାରତ ଦୁଇଭାଗ ହେଲା
ଭାରତ, ଗାନ୍ଧୀଜୀଙ୍କୁ ମ୍ରିୟମାଣ ହେବାର ଦେଖିଲା
ସୁବାସ ବୋଷ ଗାନ୍ଧୀଙ୍କୁ ଜାତିର ଜନକ କହିଲେ
ରବୀନ୍ଦ୍ର ଠାକୁର ବାପୁଙ୍କୁ ମହାତ୍ମା ସମ୍ବୋଧନ କଲେ
ବାପୁ,ଯୁଗପୁରୁଷ,ମହାମାନବ,ଅହିଂସା ପୁଜାରୀ
ଯେତେ ଉପାଧି ଦେଲେ ବି ବାପୁଜୀ ହିଁ ସର୍ବୋପରି
ସରଳ ଆଦର୍ଶ ଜୀବନ ସହ ସାବରମତୀ ଆଶ୍ରମେ
ଦେଶ ପାଇଁ ଅହରହ ଚିନ୍ତା,ଜୀର୍ଣ୍ଣଶିର୍ଣ୍ଣ ଦେହ କ୍ରମେ
ବାପୁଙ୍କ ପ୍ରିୟ ଭଜନ ରଘୁପତି ରାଜାରାମ ସହିତ
ପ୍ରାର୍ଥନାକୁ ଉଦ୍ୟତ ବେଳେ ଗୁଳିରେ ହେଲେ ନିହତ
ଉନେଇଶ ଅଠଚାଳିଶ ଜାନୁଆରୀ ତିରିଶ ତାରିଖ
ସବୁଦିନ ପାଇଁ ଲୁଚିଗଲା ବାପୁଜୀଙ୍କ ହସ ମୁଖ
ଭାରତର ଏକ ଉଜ୍ଜଳ ଆଲୋକ ହେଲା ନିର୍ବାପିତ ଦେଶବାସୀ ଲୁହର ଢେ଼ଉରେ ହୋଇଲେ ପ୍ଲାବିତ
ବାପୁ,ତୁମେ ହିଁ ଦେଶ ମାତୃକାର ସୁଯୋଗ୍ୟ ସନ୍ତାନ
ତୁମେ ହିଁ ସତ୍ୟ ଅହିଂସା ପୁଜାରୀ, ଦେଉଛୁ ସମ୍ମାନ ।
