ଜାଗର ଯାତ୍ରା
ଜାଗର ଯାତ୍ରା
ଆଜି ଜାଗର ହୋ ଆଜି ଜାଗର
ଚାଲ ମିତ ଯିବା ଶିବ ମନ୍ଦିର।
ମନ୍ଦିରରେ ପରା ଲାଗିଛି ଭିଡ଼
ଦର୍ଶନ କରିବା ଭୋଳା ଶଙ୍କର।
ଫଗୁଣ ମାସ କୃଷ୍ଣ ଚତୁର୍ଦ୍ଦଶୀ
ଭୋଳାନାଥଙ୍କର ପ୍ରିୟ ଦିନଟି।
ଭକ୍ତି ଭାବପୂର୍ଣ୍ଣ ପୂଜି ମନ୍ଦିରେ
ଜାଗର ଜାଳିବି ଶିବ ପ୍ରୀତିରେ।
ଗୁଆ ଘିଅ ସଞ୍ଜ ସଳିତା ଆଣି
ମାଟି ଦୀପରେ ଯେ ରଖିବ ପୁଣି।
ଅରୁଆ ଚାଉଳ ପୁଣି ଆଣିବ
ସଜାଇ ଦୀପକୁ ତାପରେ ରଖିବ।
ଚନ୍ଦନ କୁସୁମ ବେଲ ପତର
ଆଣିବ ଯତନେ କରି ସତ୍ୱର।
ଅରଖ ହେନା ଟଗର କେତକୀ
ଚମ୍ପା ଦୁରୁଦୁରା ଆଉ ମାଳତୀ।
ହରଷ ମନରେ ସଜାଇ ରଖି
ଅନ୍ତରେ ହୃଦୟେ ପ୍ରଭୁଙ୍କୁ ଡାକି।
ନଵାତ ଛେନା କଦଳୀ ସର
ଧୂପ ସହିତ ଯେ ପାଚିଲା ଫଳ।
ଭକତି ମନରେ ଦୀପକୁ ଜାଳି
ଶିବ ନାମକୁ ଯେ ହୋଇବ ଭାଳି।
ରଖ ମହାଦେବ ମନେ ସୁମରି
ପଞ୍ଚାକ୍ଷର ମନ୍ତ୍ରକୁ ତୁଣ୍ଡରେ ଧରି।
ଚତୁର୍ଦ୍ଦଶୀ ତିଥି ଅନ୍ଧାର ରାତି
ସାରା ଜଗତରେ ଜଳୁଛି ବତି।
ଚାରିଆଡେ ଭରିଯାଏ ଆଲୋକ
ଧୂପଦୀପ ନୈବେଦ୍ୟର ମହକ।
ଭକତି ଭାବରେ ଯେବେ ପୁଜିବୁ
ଈଶ୍ୱର କରୁଣା ଲାଭ କରିବୁ।
ବ୍ରତ ଉପବାସ ଯେ ମାନସିକ
ପୂରଣ କରନ୍ତି ତ୍ରିଲୋକନାଥ।
ଦେବ ମହାଦେବ କୈଳାସ ପତି
ପ୍ରସନ୍ନ ହୋଇଲେ ବର ଦିଅନ୍ତି।
କୃପା ହେଲେ ପ୍ରଭୁ ଈଶ୍ୱରଙ୍କର
ତପରେ ବର ଯେ କୋପରେ ବର।
ସର୍ଵ ସୁଖ ପ୍ରଭୁ ଅଜାଡ଼ି ଦ୍ଯନ୍ତି
ଭକ୍ତର ଭାବକୁ ସେ ବୁଝିଥାନ୍ତି।
ଜାଗର ରାତି ଯେ ଶଙ୍କର ପ୍ରିୟ
ଭଜୁଥା ଭଜୁଥା ନମଃ ଶିବାୟ।
ଉପବାସ ରହି କରିଲେ ବ୍ରତ
ସନ୍ତୁଷ୍ଟ ହୁଅନ୍ତି ସେ ଭୋଳାନାଥ।
ଉଜାଗର ରହି ଜାଳିଲେ ଦୀପ
ହରଣ କରନ୍ତି ସବୁରି ପାପ।
ଦୁଃଖୀ ଜନ ପିତା ଶ୍ରୀ ଜଟ୍ଟାଧାରୀ
ଦୂର କରିଥାନ୍ତି ଦୁଃଖ ସବୁରି।
ଭୋଳାଵାଵା ପ୍ରଭୁ ତ୍ରିଲୋକନାଥ
ଦେଖାଇ ଦିଅ ହେ ମୁକତି ପଥ।
ତୁମ ଚରଣେ ମୁଁ ପଶେ ଶରଣ
କରୁଛି ବିନମ୍ରେ କୋଟି ପ୍ରଣାମ।
