STORYMIRROR

Binaya Bhusan Panigrahi

Romance

3  

Binaya Bhusan Panigrahi

Romance

ଇଏ ବୋଧେ ପ୍ରେମ

ଇଏ ବୋଧେ ପ୍ରେମ

1 min
670


ସବୁବେଳେ ପ୍ରେମ କଥା

ଟିକେ ଟିକେରେ ଅଲଗା

ଦୁନିଆର ବାକି ସବୁଠାରୁ।


ଏଇ ଦେଖୁନ,

ମୁଁ ଟିକେ ହାରିଗଲି

ଆଉ ତମେ ଟିକେ ହାରିଗଲ,

ସେତିକିରେ ଜିତିଗଲା

ଆଗରୁ ଶହେ ବାର ହାରିଥିବା

ଦୁହିଁଙ୍କର ପ୍ରେମ।


କେବଳ ସେଇଥିପାଇଁ ତ

ପ୍ରେମରେ ଏମିତି ହୁଏ,

ଜିତିବାର ପଣ ଛାଡ଼ିଦେଇ

ଭଲ ଲାଗେ ହାରିବାର ହାତ ଧରିବାକୁ,

ଆପଣା ଲୋକର ସବୁ ଦୁର୍ଭାଗ୍ୟକୁ

ନିଜେ ଭୋଗି ନେଇ

ଖୁସିରେ ଖୁସିରେ ବାଧ୍ୟକରି ଯାଚି ଦେବାପାଇଁ

ନିଜ କପାଳର ସବୁ ସୌଭାଗ୍ୟକୁ,

କପାଳ ରେଖାକୁ, ପୁରା କପାଳକୁ।


ଅବିଶ୍ୱାସ କରିବାର କିଛି ନାହିଁ ପ୍ରିୟା,

ହାତମାରି ଦେଖ ମୋ'କପାଳେ,

ସୁଖ ଆଉ ସୌଭାଗ୍ୟର ଯେତେ ସବୁ ରେଖା

ସେ ସବୁରୁ ଗୋଟିଏ ବି ନୁହେଁ ମୋ'ନିଜର,

ଗୋଟି ଗୋଟି ସବୁ ଥିରେ ତମରି ସ୍ଵାକ୍ଷର।


ଟିକେ ଆଉ ପାଖକୁ ଆସ,

ମୋ'ଆଖିରେ ଆଖି ରଖି ଦେଖ ତମ କପାଳକୁ,

ଏ ଯେଉଁ ଅଦିନ ମେଘ

ଶ୍ରାବଣ ସାଜିଛି ତମ ଦି'ଆଖି କୋଣରେ

ସେସବୁ ଜମାଟ ବନ୍ଧା ବରଫ ଥିଲା

ମୋ'କପାଳର ଉଭୟ ମେରୁରେ।


ହଁ, ଆଉ ଗୋଟେ କଥା ପଚାରିବି,

କୁହ ତ କାହିଁକି,

ଏକା ଏକା ଭୋଗି ପାରେନା ମୁଁ

ତମେ ମୋତେ ତୋଳି ଦେଇଥିବା,

ଜୋର କରି ମୋ କପାଳେ ବୋଳିଦେଇଥିବା

ତମର ସେ ସବୁତକ ଆଛା ଖାସା ଭାଗ୍ୟ ?

ଯକ୍ଷ ପରି ସେସବୁକୁ ସାଇତି ସେମିତି

କାହିଁକି ମୁଁ ଭାଗ ମାଗେ ତମ ଶ୍ରାବଣରୁ ??


ବିନୟ ଭୂଷଣ ପାଣିଗ୍ରାହୀ (ମିଟୁ)

ହରସିଂହ ପୁର,ପିରହାଟ ବଜାର


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance