ହୋଲି
ହୋଲି


ଆଉ ମାରନାହିଁ ଶ୍ୟାମ ପିଚକାରୀ
ରଙ୍ଗରେ ମୁଁ ଭିଜିଗଲି
ନିନ୍ଦା, ଅପବାଦ କେତେ ମୁଁ ସହିବି
ଗିରୀ ଗୋବର୍ଦ୍ଧନ ଧାରୀ l
ଶାଶୁ, ନଣନ୍ଦ ମୋ କବାଟ କିଳିବେ
ହୋଇଲା ବେଳ ଉଛୁର
କାଖରୁ କଳସୀ ଯାଉଅଛି ଖସି
ପାଦ ନପଡ଼ଇ ମୋର l
କୁହନ୍ତି କାଳିଆ ଆଗୋ ପ୍ରାଣ ପ୍ରିୟା
ପାଇଛି ଆଜି ମଉକା
ଏ ବେଳରେ ତୁହି ଆଗୋ ମାନମୟୀ
ମନେ କାହିଁ ରଖୁ ଶଙ୍କ
ା l
ତୁହି ମୋର ଆତ୍ମା ମୁଁ ଯେ ପରମାତ୍ମା
ପାସୋରି ଗଲୁକି ସହି
ତୋ ରଙ୍ଗରେ ମୋତେ ରଙ୍ଗାଇକହୁଛୁ
ନ ଲଗାଏ ରଙ୍ଗ ମୁହିଁ l
ଶୁଣି କହେ ରାଧା ଆହେ ଗିରୀଟେକା
ତୁମ ରଙ୍ଗରେ ରଙ୍ଗାଅ
ଧୋଇ ପାରିବେନି କେହିବି ଯେମିତି
ପ୍ରୀତି ରଙ୍ଗ ଭରିଦିଅ l
ବିଭୁଙ୍କ ପ୍ରେମର ରଙ୍ଗ ଲାଗିଯାଉ
ଏ ସାରା ସଂସାରେ ଆଜି ଯେତେ ଧୋଉଥିବ ସେତେ ରଙ୍ଗୁଥିବ
ଦେହ, ପ୍ରାଣ, ମନ ଭିଜି ।