STORYMIRROR

Aishwarya Mishra

Children

3  

Aishwarya Mishra

Children

ହୋଲି ପରବ

ହୋଲି ପରବ

1 min
204


ଫଗୁଣ ଆଣିଛି ରଙ୍ଗର ପସରା

ହସୁଛି ପ୍ରକୃତି ରାଣୀ

ମୃଦୁ ମଳୟ ତ ମନ କିଣି ନିଏ

ଶୁଣାଏ ସ୍ନେହର ବାଣୀ


ଧରା ଧାମ ଛାଡ଼ି ଲୁଚିଛି ଶୀତ ଗୋ

ଗ୍ରୀଷମ ଆସୁଛି ଧୀରେ

ଦେଖ ଋତୁରାଜ ବସନ୍ତ ସୁନ୍ଦର 

ରାଜୁତି କରେ ମହିରେ


ଆମ୍ରକୁଞ୍ଜେ ଗୀତ ଗାଉଛି କୋକିଳ 

ଭ୍ରମର ବଜାଏ ବେଣୁ

ପ୍ରଜାପତି ଉଡ଼େ ଫୁଲରୁ ଫୁଲକୁ

ଗାଇ ଗୀତ ଗୁଣୁଗୁଣୁ


ହସେ କୃଷ୍ଣଚୂଡ଼ା ରକ୍ତିମ ଆଭାରେ

କି ସୁନ୍ଦର ତା'ର ଠାଣୀ 

ନବ ପଲ୍ଲବରେ ପଲ୍ଲବିତା ସାଜି

ହସୁଛି ପାଦପ ରାଣୀ


ବସନ୍ତ ଆଣିଛି ରଂଗର ଉତ୍ସବ

ଖେଳୁଛନ୍ତି ସର୍ବେ ହୋଲି

ଦୋଳ ଝୁଲଣରେ ରାଧା-କୃଷ୍ଣ ଦେଖ

ଖେଳନ୍ତି ଫୁଲର ଦୋଳି


ପ୍ରେମର ରଂଗରେ ନିଜକୁ ରଙ୍ଗାଇ 

ରଖ ହୃଦୟ ପବିତ୍ର

ହିଂସା ଦ୍ଵେଷ ଠାରୁ ସଦା ଦୂରେ ରୁହ

ବିରାଜୁ ଶାନ୍ତି ସର୍ବତ୍ର


ସବୁ ରଂଗ ମିଶି ସଭିଁଙ୍କ ଜୀବନ

ହୋଇଉଠୁ ରଙ୍ଗମୟ

ଦୁଃଖ କଷ୍ଟ ସବୁ ଯାଉ ଅପସରି

ଦୂର ହେଉ ଭ୍ରାନ୍ତି-ଭୟ


ସ୍ନେହ ଓ ପ୍ରେମର ବାରତା ସହିତେ

ଆସିଛି ହୋଲି ପରବ 

ମିଳିମିଶି ସବୁ ରଙ୍ଗ ଯେ ଖେଳନ୍ତି

ଭୁଲି ସବୁ ଭେଦ ଭାବ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Children