ହଳକ ଆଖି ଓ ତମେ
ହଳକ ଆଖି ଓ ତମେ
ରାତି ବେଶୀ ଗାଢ଼ ହେଲେ
ମାଆ ଗାଳି କରିବେ କହିଲାରୁ
ସେଦିନ ପଚାରିଥିଲନା !
ରାତି ଗାଢ଼ ହେଲେ କଣ ହୁଏ ?
ଶୁଣ ! ରାତି ଗାଢ଼ ହେଲେ ଗାଢ଼ ହୁଏ ପ୍ରୀତି
ଗାଢ଼ ହୁଏ ଭୟ , ଗାଢ଼ ହୁଏ ସନ୍ଦେହ
ଗାଢ଼ ହୁଏ ଦାଗ , ଗାଢ଼ ହୁଏ ଦୃଷ୍ଟି
ଗାଢ଼ ହୁଏ ତମ ଜିଦ୍ ଆଉ ଗାଢ଼ ହୁଏ ମୋ ସର୍ବାଙ୍ଗର ପୁରୁଷତ୍ୱ
ଗାଢ଼ ହୁଏ ଶୀତ , କାକର ମାଡ଼
ସେଇ ଶୀତ ବାହାନାରେ ତ ଦୁହେଁ ଖୋଜୁ କିଛି ତାତି ।
ସେ ଦିନ ନାଚି ନାଚି କହୁଥିଲନା !
ମୁଁ ଜାଣିଚି.. ଜାଣିଚି..
ଏ ବଳବନ୍ତର ବଡ଼ ଦୁର୍ବଳତା କ'ଣ ?
ଜାଣିଥାଇପାର ! କୁନି ବିରାଡ଼ିକୁ ମୁଁ ଖୁବ୍ ଡ଼ରେ
ହେଲେ ଜାଣିନଥିବ , ମୋ ସବୁଠୁ ବଡ଼ ଦୁର୍ବଳତା ହେଉଚ-
ତମେ ଆଉ ତମ ହଳକ ଆଖି ;
ତମ ସହ ଆଖିରେ ଆଖି ମିଶେଇବା ଅର୍ଥାତ୍
ପରାକ୍ରମରେ ସିଂହାସନ ଆରୋହଣ କରିବା ।
ତମ ହଳକ ଆଖି ସମୁଦ୍ରରେ
କି ମାଧ୍ୟାକର୍ଷଣ ଅଛି କେଜାଣି ?
ନିଜ ତମାମ୍ ଦୁର୍ବଳତାକୁ ନିଜ ଭିତରେ ସେତୁବନ୍ଧ ବାନ୍ଧି
ତମକୁ ଦେଖୁ ଦେଖୁ ହିଁ ଉବୁଟୁବୁ ହେଇଯାଏ
ଅତଳଗାମୀ ଟାଇଟାନିକ୍ ପରି ।
ଅଥଚ ଭାବିପାରେନା , ମୋ ପ୍ରତି ବଦଳରେ
ଜୀବନ ବିହୁନେ ମୀନ ପରି କାହିଁକି ଛଟପଟ୍ ହୁଅ ତମେ ?
ଆଉ ମୁଁ '
କେଉଁ ଗୋଟେ ଲୋଭୀ ଆଇଁଷିଆ କେଉଟ ପରି
କାହିଁକି ଫ୍ରାଏ କରୁଥାଏ ତମକୁ ଆଉ ନିଜ ପୁରୁଷତ୍ୱକୁ...!