ଫୁଲଗଛ
ଫୁଲଗଛ
କୁଆଡେ ଗଲେ
ତମ ତେତିଶ କୋଟି ଈଶ୍ବର ?
ଏବେ ଏବେ କଅଁଲୁଛି ଗଛରେ ଦୁଇ ପତ୍ର
ତା' ସହ ବି ଖେଳିବାକୁ ବଲୁଅଛି ତମ ମନ !
ନା , ପଲ୍ଲବୀତ ହେଇ ମୁରୁକି ହସୁଛି ପତ୍ର
ନା , ମଥା ଟେକି ଲାଜେଇ ହେଉଛି ଶାଖାଡାଳ
ନା , ମାଟି ମାଆକୁ ଆଲିଂଗନ କରିବା ଶିଖିଲାଣି ଚେର
ନା , ଫୁଲ ଫୁଟେଇ ଫଳ ଧରିବ ବୋଲି ଧରିଲାଣି କଢ଼ l
ତଥାପି ତମ ଆଖିରେ ଲୋଭ
ଶିରାପ୍ରଶିରାରେ ଉଷୁମ୍ ରକ୍ତ
ଧିକ୍ ତମ ମର୍ଦାଂଗି...ଧିକ୍ ତମ ପୁରୁଷତ୍ୱ
ଥୁ.. ତମେ ବିନା ଦ୍ଵିଧାରେ ଗ୍ରାସିଦେଇପାର ଜୀବନ ।
ଧିକ୍ ତମେ (ହୃଦୟହୀନ) ପୁରୁଷ
ଯିଏକି ଏତେ ସତ୍ତ୍ଵେ ବି ଦେଖିପାରୁନ
ଆଇନାରେ ନିଜେ ନିଜମୁହଁ
'ଆପେ ବଂଚିଲେ ବାପର ନାଁ ' ଭାବରେ
ଲୁଚିରହିଛ ନିଜ ହାତଗଢ଼ା ପୃଥିବୀ ଭିତରେ ।
ଧିକ୍ ତମ ମିଛିମିଛିକା ଶ୍ରଦ୍ଧାଞ୍ଜଳି
ଧିକ୍ ତମ ଲୋକ ଦେଖାଣିଆ କ୍ୟାଂଡେଲ ମାର୍ଚ୍ଚ
ଧିକ୍ ତମ ରିମୋଟ୍ କଂଟ୍ରୋଲ ଶୋକ ପାଳନ
ଧିକ୍ ତମ କାହା ଥାଳିରୁ ଝାମ୍ପିଥିବା ପ୍ରୋତ୍ସାହନ ରାଶି l
ଦେଇପାରିବ ତ' ତାକୁ ନ୍ୟାୟ ଦିଅ
ସମଗ୍ର ନାରୀଜାତିକୁ ସମ୍ମାନ ଦିଅ , ଅଧିକାର ଦିଅ
ତେବେ ଯାଇ ଆମେବି ଦେଖିବୁ
ତମ ଛାତିରେ କେତେ ଦଂଭ , କେତେ ମର୍ଦାଙ୍ଗୀ ।
ଥାଉ ହୋ..ତମ କୈଫିଅତ
ଆମେ ଜାଣିସାରିଚୁ କେମିତି ତମେ
ଲୋଭର ଟାଂଗିରେ ହାଣିଦେଇପାର ମାନବିକତାର ମସ୍ତକ ;
ସତ୍ତା , କ୍ଷମତା , ଟଂକା , ସଂପତ୍ତି , ଜମିଆଦିର ଉପହାର ଦେଇ
ପ୍ରତି ଅଫିସର୍ ର ପ୍ରତି ରିପୋର୍ଟକୁ କେମିତି ଲେଖିଦେଇପାର
ନିଜେ ନିଜ କଲମମୁନରେ..।
ଲୁଚିଛି ନା ଗୋଡ଼ ଦୁଇଟା ଦିଶୁଚି
ଯେତେ ଲୁଚାଇଲେ ବି ପଢିହେଉଚି ତମ ମୁହଁର କବିତାଂଶ -
ରାତି ଗଲା , ତାତି ଗଲା
ଫୁଲଗଛ ମରିଲା , କାହାଣୀ ସରିଲା ।
ହେଲେ ତମେ ଭୁଲିଯାଉଚ ବୋଧେ ?
ପ୍ରତିଟି କାହାଣୀର ଶେଷରୁ ହିଁ
ଆରଂଭ ହୁଏ ଆଉ ଗୋଟେ କାହାଣୀ
ଯେଉଁଠି
ନା , ଫୁଲଗଛ ମରେ
ନା , କାହାଣୀ ସରେ...।