STORYMIRROR

SARATA KUMAR DAS

Inspirational Others

3  

SARATA KUMAR DAS

Inspirational Others

ହେ ତୃତୀୟ ଈଶ୍ବର ! ପ୍ରଣାମ ତୁମକୁ

ହେ ତୃତୀୟ ଈଶ୍ବର ! ପ୍ରଣାମ ତୁମକୁ

1 min
27.9K


ହେ ବୀର ସୈନିକ ସ୍ତୁତିର ସ୍ତବକ

ପ୍ରଖର ପ୍ରଳୟ ଜ୍ୟୋତି

ଅକ୍ଷତ ଅମ୍ଳାନ ଅଜୟ ଭାସ୍କର

କୋଟି ବୀର୍ଯ୍ୟ ଶୌର୍ଯ୍ୟ ଦୀପ୍ତି ।।

ଜାତି ପ୍ରାଣ ବନ୍ଧୁ କୋଟି ପ୍ରାଣ ସିନ୍ଧୁ

ପୁଣ୍ୟଶ୍ଳୋକ ଜାତି ସ୍ମର

ପ୍ରାଚୀ ଚକ୍ରବାଳେ ଉଦିତ ଭାସ୍କର

ଏ ଜାତିର କର୍ଣ୍ଣଧାର ।।

ରୁଧିର ଝରଇ ବକ୍ଷରୁ ତୁମର

ହସେ ଶସାଗରା ଧରା

ତ୍ୟାଗ ବଳିଦାନ ନାହଁ ପଟାନ୍ତର

ତମିସ୍ରାରେ ଜ୍ୟୋତି ଧାରା ।।

ତ୍ରିରଙ୍ଗାର ସ୍ବର ଆହ୍ଵାନ ଦେଉଛି

ଉଠ ଉଠ ବୀର ସେନା

ମାଟିର ଚମକ ମା'ର ମମତା

ଢାଳିଛି ପ୍ରେମର ବନ୍ୟା ।।

କେତେ ଗିରି ବନ ଅଥଳ ସାଗର

ଲଂଘୁଛ ଅଚିରେ ନିତି

ସୀମା ସୁରକ୍ଷା ରେ ସଫଳ ସାରଥୀ

କମାଣ ମୁହଁରେ ଛାତି ।।

ହେଉ ସେ କାଶ୍ମୀର ହେଉ ବା ପଂଜାବ

ଆକୁମାରୀ ହିମାଚଳ

କାରଗିଲ ଗାଏ ତୁମ ଜୈତ୍ର ଗୀତି

ଭାରତ ମାଟିର ବଳ ।।

ତିଳ ତିଳ କରି ଜାଳୁଛ ନିଜକୁ

କଣ୍ଟକିତ ପଥେ ଯାତ୍ରୀ

ଦେଶ ମାତୃକାର ଗୌରବ ପାଇଁ କି

ସ୍ଵାର୍ଥକୁ ଦିଅ ଆହୁତି ।।

ଆଖିର ଲୁହକୁ ଓଠ ପିଇଯାଏ

ମାଟିକୁ ପାରେନା ଛୁଇଁ

ହସି ହସି ତୁମେ ଜୀବନ ଦେଉଛ

ଧନ୍ୟ ହେଉଅଛି ଭୂଇଁ ।।

କେତେ କଟାଉଛ ଅତନ୍ଦ୍ର ରଜନୀ

ସ୍ଵପ୍ନ ବା ଆସିବ କାହିଁ

ସ୍ଵପ୍ନ ତ କେବଳ ମାଟି ମା' ପାଇଁ

ଅଶ୍ରୁ ଧାର ଯାଏ ବହି ।।

ଜୀବନରେ କେବେ କ୍ଳାନ୍ତି ଆସେ ନାହିଁ

କ୍ରାନ୍ତିର ଧ୍ଵଜା ଉଡଇ

ଦେଶ ସୁରକ୍ଷା ର ଜାଗ୍ରତ ପ୍ରହରୀ

ହସରୁ ମୁକ୍ତା ଝରଇ ।।

ଅଚଳ ଅଟଳ ଧୈର୍ଯ୍ୟର ପ୍ରତୀକ

ଶତ୍ରୁର ହୃଦେ କମ୍ପନ

ହେ ବୀର ଅମର "ତୃତୀୟ ଈଶ୍ଵର "

କୋଟି ପ୍ରଣାମ ମୋ ଘେନ ।।

ଶରତ କୁମାର ଦାସ

ବଡବିଲ ମହାବିଦ୍ୟାଳୟ,ବଡବିଲ।


Rate this content
Log in

Similar oriya poem from Inspirational