ହେ ସମୟ !
ହେ ସମୟ !
ହେ ସମୟ !
ଫେରାଇ ଦେବୁକି ମୋର ସେହି ପିଲା ଦିନ
ଗ୍ରୀଷ୍ମ , ବର୍ଷା, ଶୀତ,ଶରଦରେ
ବସନ୍ତେ ଖେଳିଛି କେତେ ମନ ଉଲ୍ଲାସରେ
ମନେ ନାହିଁ କି ତୋର
ନମାନି ଗ୍ରୀଷମର ପ୍ରଚଣ୍ଡ ରୌଦ୍ରକୁ
ସକାଳ ସଞ୍ଜକୁ
ଗାଁ ପଠା ନଦୀ ଜଳେ
ବିତେଇଛି ସାଥି ମେଳେ
ଖାଇ ଆମ୍ବ, ଜମ୍ମୁ , ତାଳ
କି ଆନନ୍ଦ ଦୋଳି ଖେଳ
ବାଲିରେ ଗଢିଛି ଘର
ମିଛି ମିଛିକା ବାହାଘର
ଗୋଟି ଗୋଟି ସବୁ କିଛି ମନେ ପଡେ ମୋର ।
ଗ୍ରୀଷମର ତାତି ପରେ ଧରାରେ ବରଷା
ଭିଜିଛି କେତେ ମୁଁ ଗୋଟାଇ କରକା
ବହି ଖାତା ଚିରି
କାଗଜର ଡଙ୍ଗା କରି ଭସାଇଛି ସୁଅରେ , ମନ ଯାଏ ଭରି ।
ଶରଦର ବର୍ଣ୍ଣିଳ ଆକାଶେ
ତୋଫା ଜହ୍ନ ଜୋଛନା ପରଶେ
ନମାନି ରାତିର ସେ ମୁହାଁସ
ଗାଇ ଗାଇ -" ଜହ୍ନି ଫୁଲ ଠୋ ଠା
କାକୁଡି ଫୁଲ ଠୋ ଠା
ଗୁଣ୍ଡୁଚିମୂଷା କହି ଯାଇଛି
ଚାଉଳ ମୁଠେ ଥୋଇ ଥା " ।
ଧରମ ସେ କାରତିକି ନିଗିଡା
ବାଡୁଅକୁ ବିଗିଡା
କଦଳୀ ପଟୁଆରେ ଗଢିଛି ମୁଁ ବୋଇତ
ମେଲାଣି ଦେଇଛି ଗାଇ -
" ଆ କା ମା ବୈ, ପାନ ଗୁଆ ଥୋଇ
ମାସକ ଧରମ ତୋର,ଦିନକ ଧରମ ମୋର" ।
ଅଇଲା ଶୀତ ଗଲେ ମଶା
ଫାଟୁଆ ଦେଲେ ମୁରକି ହସା
ତଥାପି ସେ ଥୁରୁ ଥୁରୁ ଶୀତର ସକାଳ ,ଖାଇ ବାସି ପଖାଳ
ହାତେ ଧରି ବୋଝ ଜାଳି
କିଆରୀ କିଆରୀ ବୋଲି
ସାଉଁଟିଛି ଧାନ ସିସା
ଏବେ ବି ଭୁଲିନି ମନୁ ବଣଭୋଜି ନିଶା ।
ପଉଷ ପୂର୍ଣ୍ଣମୀ,ମକରରେ ମହାମୁନି
ଦାଣ୍ଡ ପହଁରୁ ଦାଣ୍ଡ ପହଁରୁ
ଦୋଅଣିଟିଏ ଚାରଣି ଟିଏ ପାଉଁ
ଗାଧୋଇ ପାଧୋଇ
ନିଆଁ ପାଶେ ଦଣ୍ଡେ ବସି
ବାଜିଛି ମଳୟ
କୋଇଲିର କୁହୁ ତାନେ,ତୋଳି ସମସ୍ବର
ଆହା କି ସୁନ୍ଦର
ପ୍ରଜାପତି ସାଥେ ମିଶି
ଫିଙ୍ଗିଛି ମୁଁ କେତେ ଫୁଲ
ମହୁ ଖାଇ ଖାଇ ।
" କିଆ ମୂଳେ ପିଫୁଡି,କିଆ ଯା' ଉପୁଡି
ଆହା କି ମଧୁର କନ୍ଦା
ଏବେ ସବୁ ଲାଗେ ଅନ୍ଧା ଛନ୍ଦା
ଇଛା ହୁଏ ବେଶୀ
ପୁଣି ଥରେ ଯାଆନ୍ତି କି ରୋଷି
କୋଳରେ ବସାଇ ମାଆ
ଧନରେ ସୁନାରେ କହି
କେତେ ଗେହ୍ଲା କରନ୍ତା
ହାତରେ ଚକଟି ଖୁଆଇ ଦିଅନ୍ତା
ଖିରି, ପିଠା, ଚକୁଳି, ଆରିସା କାକରା,ସାଥେ କ୍ଷୀର ଛେନା ପୁଳି
ମୁଣ୍ଡକୁ ଆଉଁସି,ପଣତ ଉହାଡି
ଦିଅନ୍ତା ଶୋଆଇ,
ଗାଇ ନାନାବାୟା ଗୀତ -
" ଧୋ ରେ ବାଇଆ ଧୋ
ଯେଉଁ କିଆରୀରେ ଗହଳ ମାଣ୍ଡିଆ
ସେଇ କିଆରିରେ ଶୋ " ।
ଆଜି ବି ଉଚ୍ଛନ୍ନ ହେଉଛି ଏ ମନ
କେଡେ ଶୀଘ୍ର ଚାଲିଗଲା
ମୋର ସେହି ପିଲାଦିନ
ହେ ସମୟ ! ଲୋଡା ନାହି ଆନ,
ପାରିବୁକି ଫେରାଇ ଦେଇ ମୋର ସେହି ପିଲାଦିନ