ହେ ମଣିଷ
ହେ ମଣିଷ
ବିଚିତ୍ର ସ୍ରଷ୍ଟାଙ୍କ ବିଚିତ୍ର ସଂସାରେ
ଏଇ ବିଚିତ୍ର ଜନମ ପାଇଛୁ ।
ଅଢେଇ ଦିନର ଜୀବନରେ ତୋର
ଆଜି ଗର୍ବ କାଇଁ ପାଇଁ କରୁଛୁ ।।
ଆଜି ଯିଏ ପର କାଲି ସେ ନିଜର
ଆଜି ପର ତୁ କାହାକୁ କହୁଛୁ ।
ନିଜ ଘର ସତେ ନିଜେ ତ ଭାଙ୍ଗିଛୁ
ଆଜି ଦୋଷ ତୁ କାହାକୁ ଦଉଛୁ ।।
ମଣିଷ ପଣିଆ ହଜିଲାଣି ତୋର
ଆଜି ପଶୁତ୍ୱରେ ପୂର୍ଣ୍ଣ ହୋଇଛୁ ।
କଳିଯୁଗର ତୁ କୁଳାଙ୍ଗ ସାଜିଛୁ
ଆଜି ମିଥ୍ୟାର ବନ୍ୟାରେ ଭାସୁଛୁ ।।
ସଂସାର ଭିତରେ ଘର ଟେ କରିଣ
ଖାଲି ନିଜ ସ୍ୱାର୍ଥ ଲାଗି ବଞ୍ଚିଛୁ ।
କେବେ ଯେ ନୋହିଲୁ ଅନ୍ୟର ସାହାରା
ଆଜି ଅନ୍ୟର ସାହାରା ମାଗୁଛୁ ।।
ଭଲପାଇବାରେ ଛଳନା ଭରିଛୁ
ମିଥ୍ୟା ପ୍ରଲୋଭନ କେତେ ଦେଇଛୁ ।
ଭଲପାଇବା ତୁ କାହାଠୁ ଖୋଜୁଛୁ
ଧୋକା ଦେଇ ପୁଣି ନିଜେ ଲୋଡୁଛୁ ।।
ଟଙ୍କାର ଗଦିରେ ନିଇତି ଶୋଉଛୁ
ମା କୋଳ ସୁଖ ତୁ ଭୁଲି ଯାଇଛୁ ।
ଜନ୍ମ କଲା ବାପା ଦାଣ୍ଡରେ ଶୋଉଛି
ଆଜି କି ସୁଖ ସତେ ତୁ ପାଉଛୁ ।।
କୋଉ ଘର ପିଲା ତୁ କଣ ହେଲୁଣି
ନା କେବେ କଳନା ତା'ର କରିଛୁ ।
ନିଜ କର୍ମଫଳ ନିଜେ ତ ଭୋଗୁଛୁ
ଆଜି କି ଲାଗି ଆଉରେ କାନ୍ଦୁଛୁ ।।