ହେ ବଟୁବାମନ
ହେ ବଟୁବାମନ
ହେ ବଟୁବାମନ ହେଉ ଆଗମନ
ଭଙ୍ଗା କୁଡିଆକୁ ମୋର,
ଭୂମି ତିନି ପାଦ ମୋତେ ଥରେ ମାଗ
ଚାପ ମୋତେ ପାତାଳର।
ତୃତୀୟ ଚରଣ କାଢି ହେ ବାମନ
ରସାତଳେ ଦିଅ ଚାପି,
ସତ୍ତ୍ଵ,ରଜ,ତମ କଲି ସମର୍ପଣ
ମୁହିଁ ଅଟେ ମହାପାପୀ।
ଆୟୂଧ ମୋହର କ୍ରୋଧ ଅହଂକାର
କଳିଯୁଗ ବଳି ମୁହିଁ,
କାହାକୁ ଟଙ୍କାଟି ଦାନ ଦେଲି ଯଦି
ମହାଦାନୀ ଭାବୁଥାଇ।
ମୁଁ ନୁହେଁ ତ ସତ୍ୟଯୁଗ ବଳିରାଜା
ଆଜିର ଛାର ମଣିଷ,
ନାହିଁ ପୁଣ୍ୟ ବଳ କର୍ମ ବାମ ମୋର
ଅନ୍ତରେ ଭରିଛି ବିଷ।
ମନ୍ଦିର ଯାଇଛି ଦେବତା ପୂଜିଛି
ଲଭିଛି ଆତ୍ମ ସନ୍ତୋଷ,
ସିଂହ ଦ୍ଵାରେ ବସିଥିବା ଦେବତାଙ୍କୁ
କରିପାରିନାହିଁ ତୋଷ।
ଲୋକ ଦେଖାଣିଆ ଧର୍ମ ଯା' କରିଛି
ବୁଲିଛି ମୁଁ କେତେ ତୀର୍ଥ,
ହେଲେ ମୋ ଚଳନ୍ତି ଦିଅଁ ପିତାମାତା
ମନେ ଦେଇଅଛି କଷ୍ଟ।
ନିଜେ ଆଉ ନିଜ ଘର କଥା ବୁଝି
ବୟସ ଦେଲି ଗଡ଼େଇ ,
ଯଦି କାହାଦୁଃଖେ କେବେଠିଆହେଲି
ସ୍ଵାର୍ଥକୁ ଅନ୍ତରେ ଥୋଇ।
ମିଛ ପଛେ ପଡ଼ି ସତ ପାଶୋରିଲି
କାମିନୀ କାଞ୍ଚନ ଆଶେ,
ଜାଣିଶୁଣି ବାଟ ହେଉଛି ଅଜଣା
ମାତ୍ର ମାୟା ମୋହ ବଶେ।
ହେ ପ୍ରଭୁ ବାମନ କର ପରିତ୍ରାଣ
ଫିଟାଅ ଭବ ବନ୍ଧନ,
ହାତେ କମଣ୍ଡଳ ଗଳେ ଧଣ୍ଡାମାଳ
ସେ ରୂପେ ଦିଅ ଦର୍ଶନ।
