STORYMIRROR

Abhakanta

Comedy

3  

Abhakanta

Comedy

ହାରିଯାଇଥିବା ମଣିଷଟିଏ ମୁଁ

ହାରିଯାଇଥିବା ମଣିଷଟିଏ ମୁଁ

2 mins
13.9K


ହାରିଯାଇଥିବା ମଣିଷଟିଏ ମୁଁ

 

ଆଭାକାନ୍ତ ମହାନ୍ତି

 

ହାରିଯାଇଥିବା ମଣିଷଟିଏ ମୁଁ

              ହାରିଯାଇଥିବା ମଣିଷଟିଏ

ହାରି ହସୁଛନ୍ତି ହଜାର ହଜାର

              ହାରି ମୁଁ ହେଇତି ହତାଶ ହୁଏ,

              କାହିଁକି କୁହ,

ଅପାର ଅଶାନ୍ତି ଅବହେଳେ ଆଣେ

              ଅମାନିଆ ହୃଦେ ଅପାର କୋହ ?

 

ମନ ମାନିଥିଲା ମହିମ୍ନ ମହୀରେ

              ମନୁଷ୍ୟତା ମହା ଯୁଗଳବନ୍ଦୀ

ସଜାଇ ସାଇତେ ସମାଜ ସରମୁ

              ସରମେ ସମାଜ ସରୁଛି କାନ୍ଦି,

              ଦେବନି ଦୋଷ,

ପାଖେ ପରଶୁଛ ପୂର୍ଣ୍ଣିମା ପୁଲକ

              ସେପାଖେ ପତନ ପାଏ ପୌରୁଷ ।

 

ସହଜାତ ସୀମା ସମାଜୁ ସମିତ

              ସରଣୀରେ ଶୋଇ ସପନ ଦେଖେ

ବୁଝାମଣା ବର୍ଜ୍ୟା ବିଚାରଟା ବାଛି

              ବାହୁବଳୀଙ୍କର ବଳ ବିଲୋକେ,

              ମଣି ମହାନ,

ପରର ପ୍ରସାଦ ପାଇ ପାସୋରନ୍ତି

              ପୂର୍ବପୁରୁଷଙ୍କ ପ୍ରଭୁତ୍ୱପଣ ।

 

ଜବରେ ଜାବୋଡ଼େ ଜାଣି ଯାବତୀୟ

              ଯାଚ୍ଛାତା ଯାତନା ଜିଇଁବା ପାଇଁ

ହରି ହଟି, ହ୍ୟାରି ହଟଚମଟଟା

              ହଜମେ ହଜୁନି, ହାରୁଛି ମୁହିଁ,

              ବୋଲିବ ବୋକା,

ମୋ ବିବିଧ ବିଧି ବାହାରେ ବାହାର

              ବିଧି ବାଢୁଛି କି ବଳ ବଳକା ?

 

ଗୋଟାଇବା ଗୁଣ ହେଲେ ଗଣମାନ୍ୟ

              ଗନ୍ତାଘରେ ସିନା ଗଚ୍ଛିତ ହେବ

ଶଠତା ସାଧିଲେ ସ୍ୱ ସଂସ୍କୃତି-ସୁଧା

              ସରିବ, ସେ କାହୁଁ ସ୍ୱୀକୃତି ନେବ ?

              ଯୁବକ ଯୁକ୍ତି,

ଯେତେ ଜଗାଇଲେ ଯୌବନ ଯିଦିରେ

              ଜଞ୍ଜାଳେ ଜାଗେନା ଯୁଗ-ସଂସ୍କୃତି ।

 

ସଂସ୍କୃତିର ସଂରକ୍ଷଣେ ସାମରଥା

              ସରିଆସୁଥିବା ଆୟୁଷ ସିନା

ପାରଙ୍ଗମପଣେ ଯୌବନ ପରଶେ

              ପ୍ରଚାର-ପ୍ରସାରେ ପ୍ରକ୍ରିୟା ନାନା,

              ରକ୍ଷିତ ରୀତି,

ସର୍ବମୟେ ସର୍ବ ସ୍ପୃହା ସାଇତିଲେ

              ସର୍ବଶୁଭଙ୍କରୀ ସାଜେ ସଂସ୍କୃତି ।

 

ସମାଜ ସମୃଦ୍ଧେ ସାଲସା ସାଜଇ

              ସୃଜନ ସାହିତ୍ୟ ସଂସ୍କାରୀ ଗୁଣ

ସମ୍ପ୍ରତି ସାହିତ୍ୟ ସମୁଦ୍ର ସେପଟ

              ଶୈଳୀରେ ସଂସ୍କୃତି ସଜାଏ କ୍ଷୁଣ୍ଣ,

              ପାରିବାପଣ,

ଅଭାବେ ଅଦୂରଦର୍ଶିତା ଅଜାଡ଼ି

              ଅହେଂ ଆସ୍ଫାଳନ୍ତି ଅହି ସମାନ ।

 

ସହଜ ସାଧନ ସୃଷ୍ଟି ଶୁଙ୍ଘି ଶୁଙ୍ଘି

              ସାଲୁସାଲୁ ହ୍ୱନ୍ତି ସଉକେ କବି

ଜାଣନ୍ତିନି ଜଳା ଯୋଗ୍ୟତା ଜ୍ୱାଳାରେ

              ଯୁଗାନ୍ତ ଜାଗୃତି ଯାଉଛି ଦବି,

              କହିବା କା'ରେ,

ନିଷ୍ପ୍ରଭ ନୁହେଁ କି ନିଃସଙ୍ଗ ନିଷ୍ପତ୍ତି

              ନାହିଁ ନଥିବା ଏ ନିଶାର ଦ୍ୱାରେ ?

 

ଧୈର୍ଯ୍ୟ ଧରିଛି ମୁଁ ଧରିବି ଯେଯାଏ

              ଧରା ଧରାଇନି ଧ୍ରୁବସତ୍ୟକୁ

ଆଶା ଆଢୁଆଳୁ ଆବାଜ ଆସଇ

              ଆସିବ ଅରୁଣ ଆଣି ତତ୍ତ୍ୱକୁ,

              ତେବେ ସେଯାଏ,

ହାରିଯାଇଥିବା ମଣିଷଟିଏ ମୁଁ

              ହାରିଯାଇଥିବା ମଣିଷଟିଏ ।

 

ନୂଆସାହି, ବିଡ଼ାନାସୀ, କଟକ-୭୫୩୦୧୪

ଫୋନ୍-୯୦୪୦୦୦୩୧୦୧

*****


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Comedy