ଗରୁଡ଼ ପଛରେ ଦେଖ ଶ୍ରୀମୁଖ
ଗରୁଡ଼ ପଛରେ ଦେଖ ଶ୍ରୀମୁଖ
ଭଗବାନ ବିଷ୍ଣୁଙ୍କ ବାହନ ରୂପେ
ଗରୁଡ଼ର ପରିଚୟ
ପ୍ରତି ବିଷ୍ଣୁ ମନ୍ଦିର ସମ୍ମୁଖ ଦେଶେ
ସ୍ଥାପିତ ହୁଏ ନିଶ୍ଚୟ
ଅଛି ମହାଭାରତ ବର୍ଣ୍ଣିତ ତଥ୍ୟ
ଗରୁଡ ନାମ ସହିତ
ଶ୍ରୀକୃଷ୍ଣଙ୍କ ନନ୍ଦିଘୋଷ ପତାକା ରେ
ଗରୁଡ ଚିହ୍ନ ସ୍ଥାନିତ
ଦ୍ରୋଣାଚାର୍ଯ୍ୟ ନିଜ ସେନା ବାହିନୀକୁ
ଗରୁଡ ସେନା ନାମରେ
ନାମିତ କରିଥିବାର ବି ଦୃଷ୍ଟାନ୍ତ
ଅଛି ମହାଭାରତରେ
ଜଗନ୍ନାଥଙ୍କ ନନ୍ଦିଘୋଷ ପତାକା
ଗରୁଡ ଚିତ୍ର ସହିତ
ରଥ ଯାତ୍ରା ବେଳେ ଥାଏ ପତାକା ରେ
ବାହନ ଭାବେ ବିଦିତ
ଯୁଗେ ଯୁଗେ ଶ୍ରୀବିଷ୍ଣୁଙ୍କର ବାହନ
ଗରୁଡ ହିଁ ସ୍ଥିରୀକୃତ
ସ୍ଵୟଂ ବିଷ୍ଣୁ ଜଗନ୍ନାଥ ରୂପେ ବିଜେ
ଗରୁଡ ସ୍ତମ୍ବରେ ସ୍ଥାନିତ
ଜଗମୋହନ ର ପୂର୍ବ ପାର୍ଶ୍ଵେ ସ୍ଥିତ
ଗୋଟିଏ ସ୍ତମ୍ବ ଉପରେ
ଯୋଡ଼ ହସ୍ତେ ଗରୁଡ ହିଁ ଉପବିଷ୍ଟ
ସେହି ସ୍ତମ୍ବ ଉପରେ
ଗରୁଡ ସ୍ତମ୍ବ ନାମରେ ପରିଚିତ
ଭକ୍ତ ଜନ ହୃଦୟରେ
ଜଣା ଯାଏ ଗରୁଡ ଙ୍କ ଚକ୍ଷୁ ଦ୍ବୟ
ଅପଲକ ନୟନରେ
ଗରୁଡ ସ୍ତମ୍ବ ଓ ରତ୍ନ ସିଂହାସନ
ମଧ୍ୟେ ଅଛି ସମାନତା
ଗରୁଡ ପଛରେ ଦର୍ଶନ କରିଲେ
ଉଚ୍ଚତାରେ ହିଁ ସାମ୍ୟତା
ପ୍ରେମାବତାର ଶ୍ରୀଚୈତନ୍ୟ ଶ୍ରୀକ୍ଷେତ୍ରେ
ଅବସ୍ଥାନ ସମୟରେ
ଶ୍ରୀଜଗନ୍ନାଥଙ୍କୁ ନିତ୍ୟ ଦରଶନ
ରହି ଗରୁଡ ପଛରେ
ତ୍ରେତୟାରେ ଗରୁଡ ଙ୍କ ମହାମୋହ
ମୁକ୍ତି ବେଳେ ନାଗ ଫାଶ
ମୋହ ଭଙ୍ଗ ଶେଷ ଆଶା ସହ ଗଲେ
କାଳ ଭୂଷଣ୍ଡଙ୍କ ପାଶ
ଶ୍ରୀରାମ ଚରିତା-ବଳୀ ଶୁଣି ହେଲା
ମୋହ ଭଙ୍ଗ ଯେଉଁ ଠାରେ
ଏହି ସେହି ନୀଳାଚଳ ଶ୍ରୀ କ୍ଷେତ୍ରରେ
ମୋହ ଭଙ୍ଗ ଏହି ଠାରେ
କାଳ ଭୂଷଣ୍ଡ ଓ ଗରୁଡ ଅଛନ୍ତି
ମୋହ ଭଙ୍ଗ ଶ୍ରୀକ୍ଷେତ୍ରରେ
ପରମ ପାବନ କ୍ଷେତ୍ର ହିଁ ଶ୍ରୀକ୍ଷେତ୍ର
କଳି-କଳୁଷ କାଳରେ
ନିତି ଗରୁଡ ଙ୍କୁ କରାଯାଏ ସ୍ନାନ
ବିଧି ବିଧାନେ ମାଜଣା
ପତିତପାବନ ବାନା ର ସ୍ଥିତିକୁ
କରାଯାଏ ବିବେଚନା
ନିତ୍ୟ ଏହି ଦୁଇ କାର୍ଯ୍ୟ ଯେବେ
ହୋଇଥାଏ ସମାପନ
ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଶଯ୍ୟା ତ୍ୟାଗ ପାଇଁ
କରାଯାଏ ଆବାହନ
ଜଗମୋହନ ମଧ୍ୟ ସ୍ଥଳରେ ଅଛି
ଚନ୍ଦନ ଅର୍ଗଳୀ ନାମେ
ପ୍ରଭୁ ନାମା ବଳୀ ପାଠ କରି ଭକ୍ତ
ଅଳୀ ସହିତ ପ୍ରଣମେ
ଧନ୍ୟ ହେ ଗରୁଡ କରୁଛ ଦର୍ଶନ
ଅପଲକ ନୟନରେ
ଶୁଣ ହେ ଭକତେ, ଦେଖ ସେ ଶ୍ରୀମୁଖ
ରହି ଗରୁଡ ପଛରେ।
