STORYMIRROR

Panchanan Jena

Fantasy

4  

Panchanan Jena

Fantasy

ଗ୍ରୀଷ୍ମାବକାଶ

ଗ୍ରୀଷ୍ମାବକାଶ

2 mins
12

କବିତା - ଗ୍ରୀଷ୍ମାବକାଶ
ରଚନା - ପଞ୍ଚାନନ ଜେନା
ତାରିଖ -୦୪-୦୬-୨୦୨୫

ଗ୍ରୀଷ୍ମାବକାଶରେ ଗାଁକୁ ଆସିଥିଲି
ଫିସନ ଆସେ
ଏଥର ବି ସପରିବାର ସହିତ ଆସିଲି 
କିଛି ବ୍ୟତିକ୍ରମ ଲାଗୁଥିଲା
ମନରେ ମତିରେ
ଯେମିତି ମତିଭ୍ରମ ହେଲା କି
ମୁଣ୍ଡରେ ତୁଣ୍ଡରେ


କାହିଁକି ଭାରି ଇଚ୍ଛା ହେଉଥିଲା ?
କରିବାକୁ ଚପଳାମୀ ପାଗଳାମୀ 
କଙ୍କି ପ୍ରଜାପତି ଧରିବାକୁ 
ଆମ୍ବ ତୋଟାରେ ବୁଲିବାକୁ
ଆମ୍ବ ନଷିଆଣି କାନରେ ନାକରେ କାନ୍ଧରେ ଲଗେଇ
ଘର ମରା ନଡ଼ିଆ ତେଲ ଲଗଉ ଲଗଉ
ମିଛିମିଛିକା ମା' ପାଖରୁ କାନମୋଡ଼ା ଖାଇବାକୁ

ଅସରାଏ ବର୍ଷା ହୋଇଗଲା ଅଧୁନା
ଗରମ ଗୁଳୁଗୁଳିରୁ ଅବଶ୍ୟ ମୁକ୍ତି ଆରାଧନା
ପୁଣି ବେଗବତୀ ଇଛାର ପ୍ରବଳ ହୁଙ୍କାର
କାହିଁକି କେଜାଣି ଲାଗିଲା ପ୍ରବଳରୁ ପ୍ରବଳତର

ନୂଆ ଗଡିଆ ଆଡିରେ ଧାଡି ଧାଡି ଖଜୁରୀ ଗଛ
କିଛି ମଲେଣି ଗଲେଣି ସ୍ଥାନ ଦେଇ ନୂଆ ମାନଙ୍କୁ ପଛ
କାନ୍ଧି କାନ୍ଧି ଖଜୁରୀ କୋଳି ଝୁଲି ରହିଛି ଓଳି
ଇଚ୍ଛା ପୁଣି ଫୋଡିଲା ଫଟ୍ କରି କଟ୍ କରି
ଗଛ ଚଢିବାର ଦୁର୍ବାର ଇଛା ପ୍ରକାଶ ହେଉଥିଲା
ମହାରାଜା ବିକ୍ରମାଦିତ୍ୟ ପିଠିରେ 
ବେତାଳ ଯେମିତି ପଡ଼ିଲା ଓହଳି

ଭୁଲିଗଲି ଖଜୁରୀ ଗଛର କି ଗୁଣ କହିବି
ମୂଳରୁ ପାହାଚ ପାହାଚ
ଭୂଲିଗଲି ଲମ୍ବା ଲମ୍ବା କଣ୍ଟାରେ ଆଚ୍ଛାଦିତ
ପିନ୍ଛାବଣ ଥାକ ଥାକ ଉବାଚ଼

ଲୁଙ୍ଗିରେ କଛା ମାରିଲି 
ଗାମୁଛାକୁ କମ୍ବରେ କଷିଲି
କାରଣ ତଳୁ ଅନେଇଲେ କେହି
ଇଜ୍ଜତ ପଦାରେ ପଡିବ ଚାହିଁଥିବ ରହି
ପିଲାବେଳର ଅଭ୍ୟାସ କୁହ ବଦଭ୍ୟାସ
କରିବାକୁ ପ୍ରୟାସ ଆରମ୍ଭିଲି

ଆଠ ଦଶ ଥର ପାହୁଣ୍ଡ ଚଢିଗଲି ସରାଗେ
ପାଦକୁ କାଟିଲା ଖଜୁରୀ ବାହୁଙ୍ଗା
ଯେମିତି ରକ୍ତ ବାହାରି ପଡିବ ଏବାଗେ
ନରମ ପାଦତଳୁ ଯେମିତି ନିଆଁ ମହଙ୍ଗା

ତଳକୁ ଫେରିବା ଭାବିଲେ ଡରକୁଳା କହିବେ ସଭିଏଁ
ସହି ହେବନି କି ରହି ହେବନି ଗାଁରେ
ଖରା ଛୁଟି ସରିବା ଯାଏଁ
ପୁଣି ଆଗକୁ ପାହୁଣ୍ଡ ଆଗେଇ ଦେଲି
କଷ୍ଟକୁ ଦାନ୍ତ କାମୁଡି ସହି ନେଲି
ଖଜୁରୀ ଗଛ ବେକ ପାଖରେ ପହଞ୍ଚିଗଲି
ପିନ୍ଛାକୁ ଗୋଟେ ହାତରେ ଧରି
ଖଜୁରୀ ପେନ୍ଥାକୁ ହଲେଇ ଝଡ଼େଇ ଦେଲି

ତଳେ ଗଦ୍ ଗାଦ୍ ନାଲିଆ କୋଳିର ଆସ୍ତରଣ
କିଛି କଞ୍ଚା କୋଳି ସାଥିରେ ଖସି ପଡିଲା
ଧାନଗଛ ସାଙ୍ଗରେ ପୋକସୁଙ୍ଗା ପରି 
ସହିଦ ହେବାକୁ ପଡ଼େ କୁସଙ୍ଗ ସଙ୍ଗ ଆଚରଣ

ଗାମୁଛାରେ ବାନ୍ଧି ଖୁସି ଖୁସି ଘରେ ଆଗମନ
ଦୁଇ ଚାରିଟା କଣ୍ଟା ଫୋଡିଗଲା 
ଲୁଙ୍ଗି ଚିରିଗଲା ଖୁନ୍ଚା ଲାଗିଗଲା
ମା' କୁ କହିବାକୁ ସାହସ ନ କଲା ଏ ମନ

ଝାଳ ନାଳ ଭେଣ୍ଡିଆ ପୁଅକୁ ଦେଖିଲା 
ଅଶିତିପର ବୁଢୀ ମା'
ପାନ ଖିଆ ପାକୁଆ ଦାନ୍ତରେ ହସିଦେଲା
ମୁରୁକି ଶୂନ ଆଗ ଦାନ୍ତିଆ
କାହିଁ ଆଣିଲୁ ସେ ମଞ୍ଜିଆ କଷା କୋଳି
କେହି ଖାଆନ୍ତିନି ବୋଲି ଝଙ୍କାଳିଆ ଫଳେ ଓହଳି

କେମିତି କହିବି ଯେ ପିଲାବେଳର ଇଚ୍ଛାବଳେ
କରିଛି ଏ ଦୁଃସାଧ୍ୟ କାମ
ଚପଳଛନ୍ଦ ବେଳର ଦୁଷ୍ଟାମୀ କଥା ଥରେ ଭାବିଦେଲେ
ପୁଣି ପଛକୁ ଫେରି ଆସିବାକୁ
ପୁଣି ଛୋଟ ନିଷ୍ପାପ ଶିଶୁ ସାଜିବାକୁ
ସକପକ ହୁଏ ଏ ଜଞ୍ଜାଳଗ୍ରସ୍ତ ସହରୀ ମଣିଷ
ଆକ୍ତାମାକ୍ତା ହୁଏ ଏ ବନ୍ଧନଯୁକ୍ତ ଚାକିରୀ ପୁରୁଷ
ପୁଣି ମୁକୁଳି ଯିବାକୁ ପଘାରେ ବନ୍ଧା ଜୀବନ ଶେଷ


Rate this content
Log in

Similar oriya poem from Fantasy