ଗ୍ରୀଷ୍ମ ଋତୁ
ଗ୍ରୀଷ୍ମ ଋତୁ
ଆସିଲା ଗ୍ରୀଷମ ଭାରି ବିଷମ ଏ
ବଇଶାଖ ଜ୍ୟେଷ୍ଠ ମାସେ
ଖାଲି ଖାଲି ସବୁ କ୍ଷେତ ଖଳା ବାଡି
ମରୁଭୂମି ପରି ଦିଶେ ।
ଟାଇଁ ଟାଇଁ ଖରା ଡହଡହ ତାତି
ଅସହ୍ୟ ଗ୍ରୀଷମ କାଳ
ମାଟି ତତଲାକୁ ପବନ ତତଲା
ଗମଗମ ବହେ ଝାଳ ।
ରାତି ପାହୁପାହୁ ଖରାମାଡି ଆସେ
ପଦାକୁ ହୁଏନି ଚାହିଁ
ଝାଞ୍ଜି ଆସେ ବହି କାଟେ ଚାଇଁ ଚାଇଁ
ହୁଏ ନାହିଁ ଜମା ସହି ।
ଖରାବେଳେ ଲାଗେ ଆକାଶୁ ଯେମିତି
ବରଷୁଛି ସତେ ନିଆଁ
ଖରାରେ ପଦାକୁ ପାଦ କାଢିଲେତ
ଦେହେ ଲାଗିଯାଏ ଚିଆଁ।
ପୋଖରୀ ଗଡିଆ କୂଅ ଶୁଖିଯାଏ
ଶୁଖାଯାଏ ନଈ ନାଳ
ଗଛ ଲତା ସବୁ ଝାଉଁଳି ପଡନ୍ତି
ଅଭାବ ହୁଅଇ ଜଳ ।
ଏହି ଖରାଦିନେ ବାଟରେ ଘାଟରେ
ବାହାରେ ଖଣ୍ଡିଆ ଭୂତ
ଆଖିରେ କାନରେ ଧୂଳି ପସିଯାଏ
ପାଖେଇ ଆସିଲେ ସେତ ।
ବୈଶାଖ ଜ୍ୟେଷ୍ଠ ରେ କାଳ ବଇଶାଖୀ
ଅଦିନିଆ ଝଡ଼ ବର୍ଷା
ଘଡଘଡି ରଡ଼ି ବିଜୁଳି ଚମକ
ଦିଅଇ ମାରକ ଦଶା ।
ଖରାବେଳେ ଗାଁଆ ତୋଟା ଦୁଲୁକଇ
ସାରା ଗାଁଆ ଲୋକ ଠୁଳ
କଥାର ପସରା ମେଲିଯାଇଥାଏ
ଜମଇ ତାଆସ ଖେଳ ।
ଖରାଦିନେ ନଈ ପୋଖରୀ ଗାଧୁଆ
ଲାଗେ ଭାଇ ଭାରି ମଜା
ଦହି ପଖାଳକୁ ପଖାଳ ତୋରାଣୀ
ଦେହମନ ରଖେ ତାଜା ।
ଗ୍ରୀଷମେ ପାଚଇ ଆମ୍ବ ପଣସ ତ
ପାଚଇ ସପୁରୀ ତାଳ
ପାଚେ ଲିଚୁ କୋଳି ପାଚେ ଜାମୁକୋଳି
ସୁଆଦିଆ ଜାମୁରୋଳ
ଫୁଟି ତରଭୁଜ କାକୁଡି ଏଦିନେ
ଦେହ ପାଇଁ ଭାରି ହିତ
ଦେହ ପାଇଁ ଭଲ ବେଲ ପଣା ଆଉ
ଦହି ଚହ୍ଲା ସରବତ ।
ଖରାଦିନ ଛୁଟି ପିଲାମାନେ ସବୁ
ବୁଲି ଯାନ୍ତି ମାମୁଘର
ଅଜା ଆଈଙ୍କର ଗେହ୍ଲା ତ ସେମାନେ
ନଥାଏ କାହାକୁ ଡର ।
ରାତିରେ ହୁଅଇ ଗୁଳୁଗୁଳି ଭାରି
ଘରେ ହୁଏନାହିଁ ରହି
ରାତିରେ ବାହାରେ ଶୋଇବା ରେ ମଜା
ମୁକୁଳା ଆକାଶେ ଚାହିଁ ।
ଏଇ ଖରା ଦିନେ ବାଟେଘାଟେ ଲୋକେ
କରିଥାନ୍ତି ଜଳଦାନ
ଶୋଷିଲା ଲୋକଙ୍କୁ ଜଳଦାନ କଲେ
ମିଳିଥାଏ ମହା ପୁଣ୍ୟ।
ଖରା ତାତି ସିନା ଦିଅଇ କଷଣ
ହୁଏ କେତେ ଯାନିଯାତ
ପରବପର୍ବାଣୀ ସୁଖ ଯାଏ ବୁଣି
ଦୁଃଖ ହୁଏ ଦୂରୀଭୂତ।
ଆରମ୍ଭ ହୁଅଇ ଏହି ଗ୍ରୀଷ୍ମ ଋତୁ
ପଣା ସଙ୍କରାନ୍ତି ଦିନ
ଉତ୍ସବ ମୁଖର ମଠରୁ ମନ୍ଦିର
ପଣା ପିଇବାକୁ ମନ।
ବୈଶାଖ ମାସରେ ଚନ୍ଦନ ଯାତରା
ପ୍ରଭୁ ଖେଳିଥାନ୍ତି ଚାପ
ଚାପରେ ଦିଅଁ ଙ୍କୁ ଦରଶନ କଲେ
ଉଣା ହୁଏ ପାପ ତାପ।
ଅକ୍ଷି ତୃତୀୟା ରୁ ଆରମ୍ଭ ହୁଅଇ
ଶ୍ରୀକ୍ଷେତ୍ର ରେ ଚାପ ଖେଳ
ଏକୋଇଶି ଦିନ ବାହାର ଚନ୍ଦନ
ଚମକେ ନରେନ୍ଦ୍ର କୂଳ
ଅକ୍ଷିତୃତିଆ ରୁ ବଡ଼ଦାଣ୍ଡେ ପୁଣି
ରଥଗଢା ଅନୁକୂଳ
ରଥଖଳାରେ ତ ଗହଳ ଲାଗଇ
ପହଞ୍ଚିଲେ ଆଜ୍ଞାମାଳ।
ଅକ୍ଷି ତୃତୀୟା ରେ ଚାଷୀ ଭାଇ କରେ
ଅନୁକୂଳ ଅକ୍ଷି ମୁଠି
ମାଆ ଲକ୍ଷ୍ମୀଙ୍କୁ ସେ ସୁମରଣା କରି
ପୂଜାକରେ ମାଆ ମାଟି ।
ବଡ ଦେଉଳର ପ୍ରତିଷ୍ଠା ଦିନଟି
ଏଇ ଖରାମାସେ ଜାଣ
ସେ ଯାତ ନୀଳାଦ୍ରି ମହୋଦୟ ଭାବେ
ସ୍କନ୍ଦ ପୁରାଣେ ବର୍ଣ୍ଣନ ।
ବଇଶାଖ ଶୁକ୍ଳ ଅଷ୍ଟମୀ ତିଥିରେ
ଏ ନୀଳାଦ୍ରି ମହୋଦୟ
ପରବ ଲାଗଇ ବଡ ଦେଉଳ ରେ
ଜୟ ଜଗନ୍ନାଥ ଜୟ ।
ବୈଶାଖ ମାସର ଶୁକ୍ଳ ଚତୁର୍ଦ୍ଦଶୀ
ନୃସିଂହ ଜନମ ଦିନ
ଶ୍ରୀମନ୍ଦିରେ ମହା ଆଡ଼ମ୍ବରେ ସେହି
ଦିନଟି ହୁଏ ପାଳନ ।
ବୈଶାଖ ପୁର୍ଣିମା ଚନ୍ଦନ ପୁର୍ଣିମା
ବୁଦ୍ଧ ପୁର୍ଣିମା ସେ ପୁଣି
ବୌଦ୍ଧ ଅବତାରେ କାଳିଆ ଠାକୁର
ଆଶିଷ ଯାଆନ୍ତି ବୁଣି ।
ପବିତ୍ର ସାବିତ୍ରୀ ଅମାବାସ୍ୟା ଆହା
ଜ୍ୟେଷ୍ଠ ଅମାବାସ୍ଯା ସେତ
ସ୍ବାମୀଙ୍କ ମଙ୍ଗଳ କାମନା କରିଣ
ସଧବା ପାଳନ୍ତି ବ୍ରତ ।
ଜ୍ୟେଷ୍ଠ ମାସ ଶୁକ୍ଳ ପଞ୍ଚମୀ ରାତିରେ
ଶିବ ବିଭାଘର ହୁଏ
ଶୀତଳଷଷ୍ଠୀ ରେ ଦେବ ଦମ୍ପତି ଙ୍କ
ଶୋଭାଯାତ୍ରା ମନ ମୋହେ ।
ଜ୍ୟେଷ୍ଠ ମାସ ଶୁକ୍ଳ ଏକାଦଶୀ ଦିନ
ହୁଅଇ ଗୁଆଲି ଯାତ
ରୁକ୍ମଣୀ ହରଣ ଲୀଳା କରିଥାନ୍ତି
ମହାପ୍ରଭୁ ଜଗନ୍ନାଥ।
ଜ୍ୟେଷ୍ଠ ପୁର୍ଣିମା ରେ ଚତୁର୍ଦ୍ଧା ମୂରତି
କରନ୍ତି ପ୍ରତ୍ୟକ୍ଷ ସ୍ନାନ
ସ୍ନାନ କରି ଦିଅଁ ଜ୍ବର ରେ ପଡନ୍ତି
ଦିଅନ୍ତିନି ଦରଶନ।
ରଜ ମଉଜ ତ ଏ ଗ୍ରୀଷ୍ମ ଋତୁରେ,
ଚଉଦିଗ ଉଛୁଳଇ
ରଜ ଦୋଳି ରଜ ପାନ ପୋଡପିଠା
ସବୁ ମନ ନିଏ ମୋହି ।
ରଜବତୀ ହୁଏ ମାଆ ବସୁମତୀ
ଗ୍ରୀଷ୍ମ କୁ ବିଦାୟ ଦେଇ
ବରଷା ଆସଇ ମାଟି ତ ହସଇ
ବରଷା ପରଶ ପାଇ।
