ଗ୍ରୀଷ୍ମ ପରେ
ଗ୍ରୀଷ୍ମ ପରେ


ବୃଦ୍ଧ ମଥା ପରେ ଥିବା
ଶୁଷ୍କ କେଶଭଳି
ରୁକ୍ଷ ଧରିତ୍ରୀଟି ,
ଆକାଶକୁ ଚାହିଁ ରହେ
ବିଦୀର୍ଣ୍ଣ ବକ୍ଷକୁ ଶାନ୍ତ କରିବାରେ
ହେବ କାଳେ ସାହା
ଝରିବକି ବିନ୍ଦୁଟିଏ ଜଳ ।
ବରଷା ଆସିଲେ
ମହାନନ୍ଦେ ବକ୍ଷପାତି
ଶୋଷିନିଏ ଧରା
ଝରୁଥିବା ବିନ୍ଦୁ ବିନ୍ଦୁ ବାରି ।
ଝଟକି ଉଠଇ
ପ୍ରଫୁଲ ଦିଶଇ
ମଳିନ ଶରୀର ,
ଚଳମୟ ହୋଇଯାଏ
ଶସ୍ୟମୟ ଧରା
ସବୁଜ ଦିଶଇ
କଣ୍ଟକିତ ମହୀ ।
କୋକିଳର କଣ୍ଠ ସିନା
ହୋଇଯାଏ ଉଭା
ରସାଳ ଶାଖାରୁ ,
ଆସେ କିନ୍ତୁ
ମୃଦୁ ମୃଦୁ ଶୀତଳ ପବନ
ମାଟିର ବାସ୍ନା
ଓ ମୟୁରର ପକ୍ଷଖୋଲା ନୃତ୍ୟ ।
ବେଳେବେଳେ
ଧାରା ଶ୍ରାବଣର ସ୍ରୋତ
ସ୍ବପ୍ନ ପ୍ରାୟ ହୋଇ
ସଂତୃପ୍ତ କରାଏ
କ୍ଷୁଦ୍ର ବିନ୍ଦୁଟିଏ ।
ଆଉ କେବେ
ଘର୍ଘର ଶବ୍ଦରେ ଥରଇ ମେଦିନୀ
ଆଖି ଝଲସାଏ ଚମକି ବିଜୁଳି।
ଗ୍ରୀଷ୍ମ ପରେ ଆଜି
ଶ୍ରାବଣର ବର୍ଷା
ଚିତାଲାଗି ଆଉ ଚିତଉ ବାସ୍ନା
ଚଷା ବାପୁଡାର
କ୍ଷୁଦ୍ର ପ୍ରୟାସ
ଦେବାକୁ ମୁଠାଏ ଅନ୍ନ
ଭୋକିଲା ଓଠରେ ।