ଘରଣୀ ମୋ ହେବ ରଜ କୁଇନ୍
ଘରଣୀ ମୋ ହେବ ରଜ କୁଇନ୍
(ରମ୍ୟ ରଚନା)
ଟିଭି ପ୍ରୋଗ୍ରାମରେ ରଜ କୁଇନ୍ ହେବ
ଘରଣୀ ମୋ ଗୋଡ଼ କାଢି,
ଶୋଇବସି ଭାଇ ଦେଉନାହିଁ ଯାହା
ମୋ ପଛେ ଯାଇଛି ପଡ଼ି ।
ଆଲବମ୍ ଗୀତ କି ଭେଙ୍ଗଡା ନାଚ
କେଇଟା ଶିଖିଛି ଯଦି,
ପୁରାଣ ସଂସ୍କୃତି ପରମ୍ପରା କିନ୍ତୁ
ସେସବୁ ଖାଇଛି ପୋଡ଼ି ।
ପୂର୍ବରୁ ଅନେକ ଦେଇ ଅଡିସନ
ଅବଶ୍ୟ ଫେଲ୍ ମାରିଛି,
ତଥାପି ଟିଭିରେ ମୁହଁ କାଢ଼ିବାକୁ
ଏକା ଯିଦି ସେ ଧରିଛି।
ବିଚାରକଙ୍କର କି ଗୋଟେ ପ୍ରଶ୍ନର
ଉତ୍ତର ପାରୁଛି ଦେଇ
ଲିପିଷ୍ଟିକି ବୋଳି ଓଠରେ ସେ ଖାଲି
ଷ୍ଟାଇଲି ଯାହା ମାରଇ।
ରଜ ପରବର ଉଦ୍ଦେଶ୍ୟ କଅଣ
ତାକୁ କିବା ଅଛି ଜାଣି,
ନାଚ ଗୀତ କିଛି ଶିଖିଛି ସେ ବୋଲି
ଭାବୁଅଛି ହିରୋଇନି।
ଜିଲ୍ଲା କେତେଗୋଟି ଓଡ଼ିଶାରେ ଅଛି
ସେ କଥାଟି ନାହିଁ ଜଣା,
କାହାକୁ ତୁଳସୀ କ୍ଷେତ୍ର କୁହାଯାଏ
ତାହା ବି ତାକୁ ଅଜଣା।
ପ୍ରଧାନ ମନ୍ତ୍ରୀ କି ମୁଖ୍ୟମନ୍ତ୍ରୀ ନାମ
ଜମା କହିପାରେ ନାହିଁ,
ଫିଲିମ୍ ହିରୋଙ୍କ ନାଆଁ ପଚାରିଲେ
ଗଳ ଗଳ ଦେବ କହି।
କହି ପାରିବନି ଗୁରୁ ଦିବସଟି
କେଉଁ ତାରିଖରେ ପଡ଼େ,
ହେଲେ କହିଦେବ ଭାଲେଣ୍ଟାଇନ ଡେ
ପଡେ କେଉଁ ତାରିଖରେ।
ଜାତୀୟ ପଶୁର ନାମ ପଚାରିଲେ
ଷଣ୍ଢ ବୋଲି ସିଏ କହେ,
ଜାଣି ପାରୁନାହିଁ କ'ଣ ପାଇଁ ସେ
ଲୋକ ହସା କରୁଥାଏ?
ଏମିତି ଆଗରୁ ଗୃହଲକ୍ଷ୍ମୀ ସୋ
ଯିବାପାଇଁ ଯିଦି କଲା,
ଅକାରଣେ ସିନା ଟଙ୍କା ଖର୍ଚ୍ଚ ହେଲା
କିଛି ବି ଫଳ ନୋହିଲା।
କି ସୋ ଚାଲିଛି ଟିଭି ବାଲା ଯାହା
ବାଇଆ କରିଛି ୟାଙ୍କୁ ,
କୂଳ ଭୁଆସୁଣୀ ଘରୁ ଗୋଡ କାଢି
ଯାଏ ଡ୍ଯାନ୍ସ୍ ମାରିବାକୁ।
ରଜ ଆସୁଥିଲା ମାସକ ଆଗରୁ
ରଜ ବାସ୍ନା ହେଉଥିଲା,
ଅଳତା, କୁଙ୍କୁମ,ସ୍ନୋ, ପାଉଡରେ
ଗାଆଁଟି ମହକୁ ଥିଲା।
ସାବୁନ ବାସ୍ନାରେ ଗାଧୁଆ ତୁଠଟା
ରଜକୁ ସ୍ଵାଗତ କରେ,
ବିରି ଚାଉଳକୁ ବୋଉ ଯେବେ ଚୁରେ
ରଜ ବୋଲି ଜଣାପଡ଼େ।
ବିଭିନ୍ନ ପ୍ରକାର ରଜ ଦୋଳି ସଙ୍ଗେ
ସଜବାଜ ଯେତେ ଚାଲେ,
ମେଳହୋଇ ଗାଆଁ ଝିଅ ବୁଲୁଥିଲେ
ରଜର ଆନନ୍ଦ ମିଳେ।
ଆଜି କିନ୍ତୁ ରଜ କେଉଁ ବାଟେ ଆସେ
କେଉଁ ବାଟେ ଚାଲିଯାଏ,
ରଜ ପାନ ଆଉ ରଜ ପୋଡପିଠା
ଟଙ୍କାରେ ଯେ ବିକ୍ରି ହୁଏ।
ନାହିଁ ସଜବାଜ ନାହିଁ ତ ମଉଜ
ରଜ ରଜ ହୋଇନାହିଁ,
ସିନେମା ହଲ୍ରେ ଫିଲ୍ମ ଦେଖିବାକୁ
ଠେଲା ପେଲା ହେଉନାହିଁ।
ବଟାଘଷା କୁଟା ବାରଣ ଥାଇକି
ଆଜି ବେଶୀ ତାହା ଚାଲେ,
ମଦ ମାଂସ ପାଇଁ ଲୋକମାନଙ୍କର
ଲାଇନି ଆଖିରେ ପଡ଼େ।
ବନସ୍ତରେ ଗଜ କୋଉଠି ଡାକୁଛି
ଆଉ କାନେ ବାଜୁ ନାହିଁ,
ରଜ ପିଠା ଆଜି ପିଜା ପେଟିସିରେ
ସଭିଙ୍କ ମନ ମୋହଇ।
ବାଗୁଡ଼ି ଖେଳରେ ଗାଆଁ ଆମ୍ଵତୋଟା
ଆଉ କିବା କମ୍ପୁଅଛି,
ପୁଚିଖେଳ ଭୁଲି ଗାଆଁ ଝିଅ ଦେଖ
ଜିନ୍ ପିନ୍ଧି ବୁଲୁଅଛି।
ଭାଇଚାରା ନାହିଁ ସମ୍ପର୍କ ବି ନାହିଁ
ବନ୍ଧୁଘର ବୁଲା ନାହିଁ,
ଅବଶ୍ୟ ଭରିଛି ହିଂସା,ଦ୍ଵୈଷ ଆଜି
ମଣିଷ ମନରେ ଭାଇ।
ମୋବାଇଲ ଖୋଲି ଫେସବୁକ ସାଙ୍ଗ
ସମସ୍ତେ ତ ଖୋଜିଲେଣି,
ସ୍ବାର୍ଥ ପାଇଁ ବନ୍ଧୁ ସମ୍ପର୍କକୁ ଭୁଲି
ଆନନ୍ଦ ହରେଇଲେଣି।
ରଜ ପର୍ବ ମନେ ରଖିବାକୁ ଯେତେ
କୃତ୍ରିମ ପ୍ରୟାସ କଲେ,
ଆଜି କିନ୍ତୁ ସେହି ରଜ ଦୋଳିଗୀତ
ଶୁଣିବାକୁ କିବା ମିଳେ?
ରଜ ପର୍ବ ଆମ ଉତ୍କଳ ଗୌରବ
ନାହିଁ ସେ ପୂର୍ବ ସଉକ,
ରଜ ବିଷୟରେ ଜାଣିବ କେବଳ
ଟିଭି ମୋବାଇଲ ଦେଖ।
