ଘରକୁ ଫେରୁଥିବା ଟ୍ରେନ
ଘରକୁ ଫେରୁଥିବା ଟ୍ରେନ
ଘରକୁ ଫେରୁଥିବା ସେଇ ଟ୍ରେନ
ରଚିଲା ମର୍ମନ୍ତୁଦ ଦୁର୍ଘଟଣା
ହଜିଗଲା ଜୀବନର ସ୍ଥାୟୀ ଠିକଣା
ଶୁଭ ବିବାହର ପୁରି ନଥିଲା ବରଷେ
ଲିଭି ନଥିଲା ଭଲ ଭାବେ ପାଦର ଅଳତା
ମଥାରୁ ଧୋଇ ହୋଇଗଲା ସିନ୍ଦୂର
ଭାଙ୍ଗିଗଲା ହାତରୁ ଶଙ୍ଖା ଚୁଡ଼ି
ସ୍ଵାମୀକୁ ହରାଇ ବିଧବା ହେଲା ପତ୍ନୀ
ଘରକୁ ଫେରୁଥିବା ସେଇ ଟ୍ରେନ
ଦୁର୍ଘଟଣାରେ ସ୍ଵାମୀ ତାର ହରାଇଲେ ପ୍ରାଣ
ଗର୍ଭରେ ଥିଲା ସାତମାସର ଶିଶୁଭ୍ରୂଣ
ସାରା ଦୁନିଆଁଟା ଘନ ଅନ୍ଧାର ଦିଶିଲା
ତା' ଆଖିରୁ ହଜିଲା ଯେତେ ସାଇତା ସପନ
ଝରାଇ ଧାର ଧାର ଅସରା ଲୁହ
ଚାପି ରଖିଲା ସେ ଛାତିର ସବୁ କୋହ
କାମୁକର ଲଲୁପ ଦୃଷ୍ଟିରୁ ନିଜକୁ ଲୁଚାଇ
ବଞ୍ଚି ରହିଥିଲା କେବଳ ଜନ୍ମ ଦେଇଥିବା
ବାପ ଛେଉଣ୍ଡ ପୁଅ ବକଟେ ପାଇଁ
ଜୀବନରେ କରି ବହୁ ସଂଘର୍ଷ
ପାଳିଥିଲା ପୁଅକୁ କରି ସେ ଉପଯୁକ୍ତ
ଶିକ୍ଷା ଦୀକ୍ଷା ଦେଇ ପାରୁ ପର୍ଯ୍ୟନ୍ତ
ଗଢ଼ିଥିଲା ତାକୁ ନିଜର ଭବିଷ୍ୟତ କରି
ସେ ପୁଅ ଆଜି ବିପଥଗାମୀ ନିଶାସକ୍ତ
କେଉଁ ଝିଅର ପ୍ରେମରେ ପଡ଼ି ପାଇଛି ଧୋକା
ଚାଲିଗଲା ସେ ଝିଅ ଦେଇ ପ୍ରତାରଣା
ସେ ପୁଅ ଆଉ ରହି ନାହିଁ ମା'ର ହୋଇ
କଲିଜାର ଶୁଖିଲା ଘାଆ ସତେଜ ହୁଏ
ଦେଖିଲେ ଘରକୁ ଫେରୁଥିବା ସେଇ ଟ୍ରେନ
ହାୟରେ ବିଧାତା ! ତୋ ଏ କି ବିଧାନ
କାହିଁକି ଦେଲୁ ଏମିତି ଜୀବନ
ବଞ୍ଚିରହି ମରେ ସେ ପ୍ରତିକ୍ଷଣ ପ୍ରତିଦିନ
ସେ ନିର୍ଜୀବ ଘରକୁ ଫେରୁଥିବା ଟ୍ରେନ
କି ବୁଝେ କା' ଅନ୍ତରର ବେଦନା
ଜୀବନଟା ଖାଲି ହା-ହୁତାଶ ଦୁଃଖମୟ
ବଞ୍ଚିବାର ରାସ୍ତା ବନ୍ଦ ହୋଇଗଲେ
କି ଦୁର୍ବିସହ ହୁଏ ମଣିଷର ଜୀବନ...?
