ଗଛ ଲଗାଇବା ଭାଇ
ଗଛ ଲଗାଇବା ଭାଇ
ଗଛକାଟି ଆମେ ସୁଖ ଭୋଗ କଲୁ
ଚଢେଇ କାନ୍ଦୁଛି ବସି
ଆଶ୍ରୟ ପାଇଁ ସେ ଗଛଡାଳ ଖୋଜେ
ମନରେ ନାହିଁ ତା ଖୁସି ।।
ଭବିଷ୍ୟତ ତା'ର ଦିଶୁଛି ଅନ୍ଧାର
କେଉଁଠି ଦେବ ସେ ଅଣ୍ଡା
ପକ୍ଷୀ ଅଭିଶାପ ସତେ କି ପଡୁଛି
କରୋନା ରୂପରେ ଦଣ୍ଡା ।।
ଦଶଗୋଟି ଗଛ ଲଗାଇଲା ପରେ
ଗଛଟିଏ କାଟୁଥିଲୁ
ଶିକ୍ଷିତ ହୋଇଣ ନିଜ ସ୍ୱାର୍ଥ ପାଇଁ
ସମସ୍ତଙ୍କୁ କଷ୍ଟ ଦେଲୁ ।।
ଅମ୍ଳଜାନ ଦେବା ପୋଷକ ତତ୍ତ୍ୱକୁ
ସମୂଳେ ବିନାଶ କରି
ନିଜ ଗୋଡେ ନିଜେ କୁରାଢି ମାରିଣ
ପକାଉଛୁ ଏବେ ହୁରି ।।
ଜଳ ସଂରକ୍ଷଣ ବୃକ୍ଷର ରୋପଣ
ଗୋମାତାଙ୍କୁ ରକ୍ଷା କଲେ
ବିପଦ-ସାଗରୁ ପାର ହେବା ନିଶ୍ଚେ
ସନ୍ଦେହ ନ ରଖ ଭଲେ ।।
ଲଗାଇବା ବର ଅଶ୍ୱତ୍ଥ କି ନିମ
ତୁଳସୀ କରଞ୍ଜ ବେଲ
ଜାମୁକୋଳି ଆମ୍ବ ପଣସ ବଉଳ
ନଡ଼ିଆ ଖଜୁରୀ ତାଳ ।।
ଶୋଷଣ ନ କରି ଦୋହନ କରିବା
ଆମ ପାଇଁ ଯାହା ଲୋଡା
ଜଗାବଳିଆ ହିଁ ବାଟ ଦେଖାଇବେ
ଚଢ଼ି କଳାଧଳା ଘୋଡ଼ା ।।