STORYMIRROR

Kabiratna Nutan Kumar Behera

Inspirational

3  

Kabiratna Nutan Kumar Behera

Inspirational

ଝୁଲି ଝୁଲି ଆସୁଛି ମୋ କାଳିଆ ସୁନା

ଝୁଲି ଝୁଲି ଆସୁଛି ମୋ କାଳିଆ ସୁନା

1 min
205


ଝୁଲି ଝୁଲି ଆସୁଛି ମୋ କାଳିଆ ସୁନା

ଅନା ଅନାରେ ସଙ୍ଗାତ ଆଗକୁ ଅନା

ରଥ ହେଲାଣି ତ ସଜ ବାଜେ ବାଜଣା 

  ସରିଲାଣି ଛେରାପହଁରା

  ବାଟଘାଟ ସଫାସୁତୁରା

ରଥେ ବସି ଯିବେରେ ଭଉଣୀ ଭାଇନା

ଜଗତ କଲ୍ୟାଣେ ତାଙ୍କ ଶୁଭଭାବନା

ଅନା ଅନାରେ ସଙ୍ଗାତ ଆଗକୁ ଅନା।୧।


ଝୁଲି ଝୁଲି ଆସୁଛି ମୋ କାଳିଆ ସୁନା

ଏମନ୍ତ ବଡ଼ ସାମନ୍ତ ତାଙ୍କରି ବିନା

କିଏ ଅଛି ତିନିପୁରେ ଉଡାଇ ବାନା ?

  କରୁଛି ସେ ରଥ ଯାତରା

  ନାଚି ନଚାଇ ବସୁନ୍ଧରା

ମାଉସୀ ଘର ଯିବେ ରଥେ ବସି କିନା

ବଡ଼ଦାଣ୍ଡେ ଭିଡ଼ ହଜି ଯାଏ ଠିକଣା

ଅନା ଅନାରେ ସଙ୍ଗାତ ଆଗକୁ ଅନା।୨।


ଝୁଲି ଝୁଲି ଆସୁଛି ମୋ କାଳିଆ ସୁନା

କି ରଙ୍ଗେ ଢଙ୍ଗେ ପତିତପାବନବାନା 

ହସୁଛନ୍ତି ଦେଖ ପାଇ ପୂଜା ଅର୍ଚ୍ଚନା 

  ଅନାଥର ସିଏ ସାହାରା

  ଆନନ୍ଦେ କରନ୍ତି ଯାତରା

ନନ୍ଦିଘୋଷରେ ବସିବେ କାଳିଆ ସୁନା

ଦେବଦଳନେ ଭଗ୍ନୀ ତାଳଧ୍ଵଜେ ଭାଇନା

ଅନା ଅନାରେ ସଙ୍ଗାତ ଆଗକୁ ଅନା।୩।


ଝୁଲି ଝୁଲି ଆସୁଛି ମୋ କାଳିଆ ସୁନା

ସଙ୍ଗେ ପଣ୍ଡା ପଢିଆରୀ ପୂଜାରୀ ନନା

ଶ୍ରଦ୍ଧାଳୁ ଭକତ କରନ୍ତି ଯେ ଅଭ୍ୟର୍ଥନା 

  ଏ ଦୃଶ୍ୟ ହୃଦେ ଅପାଶୋରା

  ସାରା ବିଶ୍ୱେ ଅଟେ ନିଆରା

ଦର୍ଶନେ ତାର ଦୂର ହୁଏ ସବୁ ଯାତନା

ଜୀବନର ନାହିଁ ଗତି କାଳିଆ ବିନା

ଅନା ଅନାରେ ସଙ୍ଗାତ ଆଗକୁ ଅନା।୪।


ଝୁଲି ଝୁଲି ଆସୁଛି ମୋ କାଳିଆ ସୁନା

ମନୋହର ରୂପ ତାଙ୍କ ଭୁଲି ହୁଏନା

ଯେତେ ଦେଖୁଥିଲେ ତାକୁ ମନ ମାନେନା 

  ଦିବ୍ୟ ସୁନ୍ଦର ଏ ଚେହେରା

  ଝରି ପଡେ ଅମୃତ ଧାରା

ଚରଣେ ଶରଣ ଲାଗି କଲେ ପ୍ରାର୍ଥନା

ଆଶିଷ ଦେବେ ପୂର୍ଣ୍ଣହେବ ମନସ୍କାମନା

ଅନା ଅନାରେ ସଙ୍ଗାତ ଆଗକୁ ଅନା।୫।

ଝୁଲି ଝୁଲି ଆସୁଛି କାଳିଆ ସୁନା.......



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational