ଏମିତି ସକାଳ
ଏମିତି ସକାଳ
ଏମିତି ସକାଳ ଦିନେ ହେବ
ପୂରୁବ ଆକାଶେ ନ ଉଇଁ ସୁରୁଜ
କିଛି କ୍ଷଣ ପାଇଁ ରହିଯିବ
ବିଭାଜିତ ହେବ କୋଟି ସୁର୍ଯ୍ୟ ହୋଇ
କୋଟି ହୃଦାକାଶେ ଝଲସିବ।
ଏମିତି ସକାଳ !
ନ ପାହୁ ରଜନୀ ନ ଘୁଞ୍ଚୁ ତମସା
ନ ହେଉ ଦିବସ ଆବିର୍ଭାବ
ହୃଦ ଜ୍ୟୋତିବିନ୍ଦୁ ବିକିରିତ ହୋଇ
ନିଖିଳ ଜଗତ ପ୍ରକାଶିବ।
ଏମିତି ସକାଳ !
ସହସ୍ର ଜନ୍ମର ସଂସ୍କାର ଶୃଙ୍ଖଳ
ଏ ନବ ପ୍ରଭାତେ ଛିଡ଼ିଯିବ
ମାୟା ମୋହ ଘୋର ଘନ ଅନ୍ଧକାର
ସବୁରୀ ଅନ୍ତରୁ ଦୂର ହେବ।
ଏମିତି ସକାଳ !
ସତ୍ୟର ଅରୁଣ କୋମଳ କିରଣେ
ମୃଦୁ ଉଷ୍ମତାର ଅନୁଭବ
ସରଳ ପ୍ରାଣରେ ବିଶ୍ୱାସର ପୁଣି
ମୋହିନୀ ରାଗିଣୀ ଶୁଭୁଥିବ।
ଏମିତି ସକାଳ !
ସୁକର୍ମର ମହାମନ୍ତ୍ର ଉଚ୍ଚାରଣେ
ଦିଗନ୍ତ ଧ୍ୱନିତ ହେଉଥିବ
ପ୍ରକୃତିର ଶୁଦ୍ଧ ପ୍ରଭଞ୍ଜନ ସାଥେ
ସୁସମ୍ବାଦ ଆସି ପହଞ୍ଚିବ।
ଏମିତି ସକାଳ !
ଇର୍ଷା ଦ୍ଵେଷ ଅହଙ୍କାରର କୁହୁଡ଼ି
ଜ୍ଞାନସୁର୍ଯ୍ୟ ତାପେ ଘୁଞ୍ଚିଯିବ,
ନ୍ୟାୟ ଧର୍ମ ପ୍ରେମ ବିମଳ ପ୍ରଭାରେ
ବିଶ୍ୱ ଚରାଚର ଝଲସିବ।
ଏମିତି ସକାଳ !
ଭାବ ଅଗଣାରେ ଶୁଦ୍ଧ ଚିନ୍ତନର
ରଙ୍ଗୀନ ପ୍ରସୂନ ଫୁଟିଥିବ,
ଦେଖଣାହାରୀଙ୍କ ପ୍ରଫୁଲ୍ଲିତ ଓଠେ
ହସର ପାଖୁଡ଼ା ଝରୁଥିବ।
ଏମିତି ସକାଳ !
ସୁସ୍ଵରେ ସୁକଣ୍ଠେ ମଧୁ ସମ୍ଭାଷଣ
ଶୁଣି ମନ ପ୍ରାଣ ତୃପ୍ତ ହେବ
ମୈତ୍ରୀ ପ୍ରୀତିଭରା ମଧୁ କାକଳିରେ
ଅଶାନ୍ତ ହୃଦୟ ସ୍ଥିର ହେବ।
ଏମିତି ସକାଳ !
ଅବୁଝା ମନରେ ବାକିଥିବା ଦ୍ଵନ୍ଦ
କ୍ଷଣକରେ ଗଣ୍ଠି ଫିଟିଯିବ,
ସମାହିତ ହେବ ଯେତେ ସବୁ ପ୍ରଶ୍ନ
ଉଚ୍ଚିତ ପଥଟି ଦିଶିଯିବ।
ଏମିତି ସକାଳ !
ଅନ୍ତରେ ବାହାରେ ପ୍ରକାଶର ଧାରା
ଆଖି ଝଲସାଇ ଚମକିବ,
ବେଳ ବୁଡିବନି ସଞ୍ଜ ନଇଁବନି
ଅନନ୍ତ ଦିବସ ରହିଥିବ।
ଏମିତି ସକାଳ !