STORYMIRROR

Goutam Mohanty

Romance

3  

Goutam Mohanty

Romance

ଏମିତି ବି ଏକ ଦିନ ଆସିବ

ଏମିତି ବି ଏକ ଦିନ ଆସିବ

1 min
188


ଏମିତି ବି ଏକ ଦିନ ଆସିବ

ତୁ ଅପେକ୍ଷା କରିଥିବୁ

ଫରେଷ୍ଟ ପାର୍କର ବେଞ୍ଚ୍ ଉପରେ

ସଞ୍ଜ ହୋଇ ଯାଇଥିବ

ହାତରେ ବାଦାମ ଧରି ମୁଁ ପହଞ୍ଚିବି

ଆମେ ପରସ୍ପରକୁ ଦେଖିବା,

ହସିବା, ମୁଣ୍ଡ ତଳକୁ କରିବା

କଥା ହେବା ପାଇଁ

ଦୁଇ ଜଣକୁ ଖରାପ ଲାଗୁଥିବ

ଏମିତି ବି ଏକ ଦିନ ଆସିବ!


ଏମିତି ବି ଏକ ଦିନ ଆସିବ

ଦେଖାହେବା ଆମେ ଆମ ପୁରୁଣା

ଟିଫିନ୍ ସେଣ୍ଟରରେ

ଆମ ପାଇଁ ସବୁ ଟେବୁଲ୍ ଖାଲି ଥିବ

ତୋ ହାତରେ ଦୋସାର ଟୁକୁଡ଼ା

ମୋ ହାତରେ ଚଟଣୀର ଚାମଚ୍

ଦୁଇଜଣ ଭାବୁଥିବା

କିଏ କାହାକୁ ଆଗ ଖୁଆଇବ

ଏମିତି ବି ଏକ ଦିନ ଆସିବ!


ଏମିତି ବି ଏକ ଦିନ ଆସିବ

ମୋ କବିତା ପଢ଼ି

ହଠାତ୍ ଦିନେ ତୋ ଫୋନ୍ ଆସିବ

ଏତେ ଭଲ ପାଉଥିଲ ବୋଲି

ପଚାରିବୁ ତୁ

ମୁଁ କହିବି ଜଣକଠୁ

କଣ ଏତେ ପ୍ରେମ ଆସିବ

ତୁ ପୁଣି ରାଗିବୁ, ଫୋନ୍ କାଟିଦେବୁ

ଅପେକ୍ଷା କରିବା

କିଏ ଆଗ ଫୋନ୍ କରିବ

ଏଇ ଅପେକ୍ଷାରେ ଅନେକ ବର୍ଷ ବିତିଯିବ

ଏମିତି ବି ଏକ ଦିନ ଆସିବ!


ଏମିତି ବି ଏକ ଦିନ ଆସିବ

ଏୟାର ପୋର୍ଟ ର ଲଙ୍ଗରେ

ଆମେ ଦୁହେଁ ଦେଖାହେବା

ତୁ ଆଶ୍ଚର୍ଯ୍ୟରେ ପଚାରିବୁ

କୁଆଡ଼େ?

ମୁଁ ଦୁଷ୍ଟ ଚାହାଣୀରେ କହିବି

ସିଆଡେ!

ହଠାତ୍ ତୋତେ କିଏ ମମି ବୋଲି ଡ଼ାକି

ଟାଣି ନେଇଯିବ

ମୋ' ଚଷମା ମୋ' ଲୁହକୁ

ଲୁଚାଇ ଦେଉଥିବ

ଏମିତି ବି ଏକ ଦିନ ଆସିବ!


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance