ଏଲିଏନର ରହସ୍ୟ
ଏଲିଏନର ରହସ୍ୟ
ବିଶାଳ ବିଶ୍ୱ ଜଗତ ସର୍ଜିଲେ ଈଶ୍ୱର
ସ୍ୱର୍ଗ ମର୍ତ୍ତ୍ୟ ତଳାତଳ ଅନନ୍ତ ଅମ୍ବର |
ନିହାରିକା ଛାୟାପଥ ସଉର ଜଗତ
କୋଟି ଜ୍ୟୋତିଶ୍ଚକ୍ରପୁଞ୍ଜ କେ କରିବ ଅନ୍ତ |
ଆମ ସୌର ପରିବାର ରବି ନବଗ୍ରହ
ଉପଗ୍ରହାଦି ସହିତ ହୋଇଅଛି ଥୟ |
ପୃଥିବୀ ଗ୍ରହରେ ଅଛି ଜୀବ ଅବସ୍ଥିତି
ଏବେ ମଙ୍ଗଳେ ସୂଚନା ଜୀବର ସଂସ୍ଥିତି |
ଏ ରହସ୍ୟ ଭେଦିବାକୁ ନର ଚେଷ୍ଟାରତ
ଆୟୁଷ ସୀମିତ ଜ୍ଞାନ ସାଗର ବ୍ୟାପତ |
ବିଭିନ୍ନ ଲୋକ ମଣ୍ଡଳ ରହିଅଛି ସତ୍ୟ
ଦେବ ଦେବୀ ଯକ୍ଷ ରକ୍ଷ ଅଶରୀରୀ ତତ୍ତ୍ୱ |
ଆତ୍ମା ଅଟେ ଅବିନାଶୀ ଭ୍ରମେ ଗ୍ରହାନ୍ତର
ଭୁବ ଲୋକେ ଅନ୍ତରୀକ୍ଷେ ସାମ୍ରାଜ୍ୟ ତାଙ୍କର |
ପୃଥ୍ଵୀ ପ୍ରତି ମାୟା ତାଙ୍କ ଥାଏ ଅସରନ୍ତି
ଏଣୁ ପାଇଲେ ସୁଯୋଗଓହ୍ଲାଇ ଆସନ୍ତି |
ଏମାନେ ସବୁ ଦେଖନ୍ତି ସୂକ୍ଷ୍ମ ସ୍ୱରୂପରେ
ନିଜେ ତ ଅଦୃଶ୍ୟ ଦୃଶ୍ୟ ନୁହଁନ୍ତି ଅପରେ |
ଏମାନଙ୍କୁ ଧରି ଛୁଇଁ ବାନ୍ଧି ହୁଏ ନାହିଁ
ଛାୟାସମ ବେଳେ ବେଳେ କାୟା ଦୃଶ୍ୟ ଥାଇ |
କାଷ୍ଠ ଲୌହ ପାଷାଣ ପ୍ଲାଷ୍ଟିକ ଭେଦି ଯାନ୍ତି
ସାତ ତାଲା ରୁଦ୍ଧ ଗୃହେ ପ୍ରବେଶ କରନ୍ତି |
ଭିନ୍ନ ଭିନ୍ନ ବେଶ କରି ପାରନ୍ତି ଧାରଣ
ଭାଗ୍ୟେ ଥିଲେ ଏମାନଙ୍କୁ ମିଳଇ ଦର୍ଶନ |
ପ୍ରତ୍ୟକ୍ଷ ଘଟଣା ଦିନେ ଥିଲା ଶନିବାର
ଘନ କୁହୁଡ଼ି ଆଛନ୍ନ ସ୍କୁଲ ପରିସର |
ପିଲା ପାଟିକରି ମୋତେ ଡାକିଲେ ତ୍ୱରିତ
ଆସନ୍ତୁ ସାର ଦେଖନ୍ତୁ ଦୃଶ୍ୟ ଆଚମ୍ବିତ |
ଦେଖିଲି ଆଖିରେ ତିନି ଗୋଟି ଛାୟାମୂର୍ତ୍ତି
ନଡ଼ିଆ ଗଛୁ ବାହାରି ଉଡି ଯାଉଛନ୍ତି |
କହିଲେ ହସିବେ ଜନ ଏଣୁ ନିରୁତ୍ତର
ଅଙ୍ଗେନିଭା କାହାଣୀ ଏ ଅଟଇ ଅକ୍ଷର ||
