ଏକତାର ହିଁ ବଳ
ଏକତାର ହିଁ ବଳ
ଏକତା ହିଁ ବଳ ସଂସାରେ ସମ୍ଵଳ,
ଅନେକଙ୍କ ମେଳ ଦିଏ ପୁଣ୍ୟଫଳ।
ଏକ ଏକ ମିଶି ଦୁଇ ହେଲେ ଖୁସି,
ଏକା ଥିଲେ ବସି ପାରେନା ସେ ହସି।
ପାଞ୍ଚଟି ଆଙ୍ଗୁଳି ରହିଲେ ଯେ ମିଳି,
ମୁଠାରେ ସମ୍ଭାଳି ହୁଏ ଭାରି ଥଳୀ।
ଥିଲେ ବିଭିନ୍ନତା ଭାଙ୍ଗେ ନୈତିକତା,
ସମୂହ ଏକତା ଆଣେ ସାର୍ଥକତା।
ଶାସ୍ତ୍ରୀୟ ପୁରାଣ ଦିଅଇ ପ୍ରମାଣ,
ଏକ ମନ ପ୍ରାଣ ଆଶା କରେ ପୂର୍ଣ୍ଣ।
ଲଙ୍କାର ରାବଣ ମାୟା ଯେ କରିଣ,
ସୀତାଙ୍କୁ ହରଣ କରି ଦେଲା ପ୍ରାଣ।
ଏକତାର ବଳେ ବାନର ସକଳେ,
ଗଲେ ଲଙ୍କା ସ୍ଥଳେ ସେତୁ ବାନ୍ଧି ଜଳେ।
ଅସାଧ୍ୟ ସାଧନ କଲେ ସମ୍ପାଦନ,
ରଖି ପ୍ରଭୁ ମାନ ହେଲେ ଭକ୍ତଗଣ।
ପକ୍ଷୀ ଧରି ଆଣି ବ୍ୟାଧ ପାଳେ ପ୍ରାଣୀ,
ଖୁଦକଣା ବୁଣି ଜାଲ ରଖେ ଟାଣି।
ଦିନେ ପକ୍ଷୀ ଦେଳେ ଚରିବାର ବେଳେ,
ଜାଲରେ ଅକାଳେ ପଡିଲେ ସକଳେ।
ମୁଳୁଳି ନ ପାରି ଭାଳି ହେଲେ ଭାରି,
ବଞ୍ଚିବେ କିପରି କି ଉପାୟ କରି ?
କରିଣ ବିଚାର କଲେ ସବୁ ସ୍ଥିର,
ଉଡିବେ ଏଥର ଦେଇ ଯେତେ ଜୋର।
ଜାଲକୁ ଉଡ଼ାଇ ନେଲେ ଯେ ଚଢ଼େଇ,
ଗଲେ ରକ୍ଷା ପାଇ ବହୁ ଦୂର ଯାଇ।
ଏକତାର ପଣ ସମୂହ କଲ୍ୟାଣ,
ବୁଝେ ଯେଉଁ ଜନ ଧନ୍ୟ ତା' ଜୀବନ।
ଦେଶ ଜାତି ମାନ ରଖଇ ଅକ୍ଷୁର୍ଣ୍ଣ ,
ଏକତାର ଜ୍ଞାନ କରଇ ମହାନ।
ଏକତା ପାଳନ କରିଛି ସ୍ଵାଧୀନ,
ଏକତାର ଗାନ ଜାତି ସ୍ଵାଭିମାନ।
ଏକତା ହିଁ ବଳ କରଇ ମଙ୍ଗଳ,
ପ୍ରଗତିର ମୂଳ ହୁଏ କାଳ କାଳ।
